ଆଜି ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ? ଜାଣନ୍ତୁ ଏହାର ଇତିହାସ ଏବଂ ମହତ୍ତ୍ୱ
ଶିବ ଜୟନ୍ତୀ ଭାବରେ ଜଣାଶୁଣା ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ ଆଜି ଅର୍ଥାତ ୧୯ ଫେବୃଆରୀରେ ପାଳିତ ହୋଇଥାଏ। ବିଶେଷ କରି ମହାରାଷ୍ଟ୍ରରେ ଶିବ ଜୟନ୍ତୀ ଉତ୍ସବ ବେଶ ଉତ୍ସାହର ସହିତ ପାଳନ କରାଯାଇଥାଏ। ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ ମହାନ ମରାଠା ସମ୍ରାଟ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ବାର୍ଷିକୀ ଭାବେ ପାଳନ କରାଯାଇଥାଏ। ମରାଠା ସାମ୍ରାଜ୍ୟର ପୁନରୁଦ୍ଧାରରେ ଏହି ମହାନ ଯୋଦ୍ଧାଙ୍କ ଭୂମିକାକୁ ସମ୍ମାନ ଦେବା ହେଉଛି ଏହି ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ।
ମହାନ ସମାଜ ସଂସ୍କାରକ ଜ୍ୟୋତିରାଓ ଗୋବିନ୍ଦରାଓ ଫୁଲେଙ୍କ ଦ୍ୱାରା ସର୍ବପ୍ରଥମେ ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ ପାଳନ କରାଯିବାର ପରମ୍ପରା ଆରମ୍ଭ ହୋଇଥିଲା। ମହାତ୍ମା ଜ୍ୟୋତିବା ଫୁଲେ ନାମରେ ଜଣାଶୁଣା ଜ୍ୟୋତିରାଓ ଗୋବିନ୍ଦରାଓ ଫୁଲେ ୧୮୭୦ ମସିହାରେ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ତାରିଖକୁ ଶିବ ଜୟନ୍ତୀ ନାମରେ ପାଳନ କରିବାର ପରମ୍ପରା ଆରମ୍ଭ କରିଥିଲେ। ସେହି ଦିନ ଠାରୁ ଲୋକେ ଏହି ଉତ୍ସାବକୁ ବେଶ ଉତ୍ସାହର ସହ ପାଳନ କରି ଆସୁଛନ୍ତି। ସ୍ୱରାଜ୍ୟ ସଂସ୍ଥାପକ ଶିବାଜୀ ମହାରାଜ ୧୬୩୦ ମସିହାର ଆଜିର ଦିନରେ ପୁଣେସ୍ଥିତ ଶିବନେରୀ ଦୁର୍ଗରେ ଜନ୍ମ ଗ୍ରହଣ କରିଥିଲେ। ଭାରତୀୟ ଇତିହାସରେ ଜଣେ ମହାନ ଯୋଦ୍ଧା ଭାବେ ପରିଚିତ ଶିବାଜୀ ମହାରାଜ କେବଳ ମହାରାଷ୍ଟ୍ରରେ ନୁହେଁ ବରଂ ସମଗ୍ର ଭାରତ ବର୍ଷରେ ବହୁ ସମ୍ମାନ ଲାଭ କରିଛନ୍ତି। କାରଣ ତାଙ୍କର ସମୃଦ୍ଧ ସାଂସ୍କୃତିକ ପରମ୍ପରା, ତାଙ୍କର ଚିନ୍ତାଧାରା ଏବଂ ଭାରତ ବର୍ଷକୁ ବିଦେଶୀ ଆକ୍ରମଣକାରୀଙ୍କ ଠାରୁ ମୁକ୍ତ କରିବା ପାଇଁ ତାଙ୍କ ଉଦ୍ୟମ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି।
ଚଳିତ ବର୍ଷ ମରାଠା ସମ୍ରାଟ ଛତ୍ରପତି ଶିବାଜୀ ମହାରାଜଙ୍କ ୩୯୩ ତମ ଜନ୍ମ ଜୟନ୍ତୀ ପାଳନ କରାଯାଉଛି। ଶିବାଜୀ ମହାରାଜ କେବଳ ଏକ ସୁସଙ୍ଗଠିତ ପ୍ରଶାସନିକ ସଙ୍ଗଠନ ଗଠନ କରିନାହାଁନ୍ତି ବରଂ ସେତେବେଳେ ନିଜ ସାମ୍ରଜ୍ୟରେ ରହୁଥିବା ଲୋକଙ୍କ ପାଇଁ ଏକ ଉଦାର ନାଗରିକ ନିୟମ ମଧ୍ୟ ପ୍ରଣୟନ କରିଛନ୍ତି। ସମାଜ ସଂସ୍କାରକ ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ପଦାଙ୍କ ଅନୁସରଣ କରି ଏହି ଦିବସ ପାଳନ କରିବାର ପରମ୍ପରାକୁ ଆଗେଇ ନେଇଥିଲେ ମହାନ ସ୍ୱାଧିନ ସଂଗ୍ରାମୀ ବାଲ ଗଙ୍ଗାଧର ତିଲକ।
ଭାରତର କେତେକ ରାଜ୍ୟ ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ ପର୍ବକୁ ଏକ ସାଧାରଣ ଛୁଟି ଦିବସ ଭାବରେ ପାଳନ କରନ୍ତି। ଲୋକେ ଏହି ଉତ୍ସବ ପାଳନ କରିବା ଅବସରରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି। ଏହି ଦିବସ ପାଳନ ଅବସରରେ ବିଶାଳକାୟ ଶୋଭାଯାତ୍ରା ଆୟୋଜନ କରାଯାଇଥାଏ। ଶିବ ଜୟନ୍ତୀ ନାମରେ ଜଣାଶୁଣା ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ ମହାରାଷ୍ଟ୍ରରେ ବେଶ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ। ପ୍ରଥମ ଥର ପାଇଁ ଚଳିତ ବର୍ଷ ଶିବ ଜୟନ୍ତୀ ଆଗ୍ରାସ୍ଥିତ ଦିୱାନ୍-ଆଇ-ଆମ୍ ଠାରେ ପାଳିତ ହେବ।