୪ ଶାବକଙ୍କୁ ଜନ୍ମ ଦେଲା ନାମିବିଆରୁ ଆସିଥିବା ଚିତା ସିୟାୟା
ନୂଆଦିଲ୍ଲୀ : କୁନୋ ଜାତୀୟ ଉଦ୍ୟାନରୁ ଆସିଛି ଖୁସି ଖବର । ନାମିବିଆରୁ ଭାରତକୁ ଆସିଥିବା ଚିତା ମଧ୍ୟରୁ ଗୋଟିଏ ଚିତା ‘ସିୟାୟା’ ୪ଛୁଆଙ୍କୁ ଜନ୍ମ ଦେଇଛି । କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ଆଜି ଏହି ସୂଚନା ଦେଇଛନ୍ତି । ସେ ଏହାକୁ ଅମୃତ କାଳ ସମୟରେ ଭାରତର ବନ୍ୟଜନ୍ତୁ ସଂରକ୍ଷଣ ଇତିହାସରେ ଏକ ମହତ୍ୱପୂର୍ଣ୍ଣ ଘଟଣା ବୋଲି କହିଛନ୍ତି ।ସେ ଟ୍ୱିଟ୍ କରି କହିଛନ୍ତି ଯେ, ଗତ ସେପ୍ଟେମ୍ବର ୧୭ରେ ଭାରତକୁ ଆସିଥିବା ଚିତା ମଧ୍ୟରୁ ଗୋଟିଏ ମା ହୋଇଛି । ସେ ୪ଟିଛୁଆ ଜନ୍ମ ଦେଇଥିବାରୁ ମୁଁ ଆନନ୍ଦିତ । ସେ ନିଜ ଟ୍ୱିଟରେ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଗତ ବର୍ଷ ସେପ୍ଟମ୍ବର ୧୭ ରେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଜନ୍ମଦିନରେ ନାମିବିଆରୁ ଭାରତକୁ ଅଣାଯାଇଥିବା ୮ ଟି ଚିତାକୁ କୁନୋ ଜାତୀୟ ଉଦ୍ୟାନର ଛାଡ଼ିଥିଲେ । ନାମିବିଆରୁ ଭାରତକୁ ଆସିଥିବା ୮ ଚିତା ମଧ୍ୟରୁ ଗୋଟିଏରେ ମୃତ୍ୟୁ ଘଟିଥିଲା । ଆଉ ୭ଟି ଚିତାରୁ ଗୋଟିଏ ଚିତା ୪ଟି ଶାବକକୁ ଜନ୍ମ ଦେଇଛି । ମାର୍ଚ୍ଚ ୨୭ରେ ଶାଶା ନାମକ ଚିତା କିଡନୀ ସଂକ୍ରମଣ ପାଇଁ ମୃତ୍ୟୁବରଣ କରିବା ପରେ ଏହା ସରକାରଙ୍କ ଚିନ୍ତା ବଢ଼ାଇଥିଲା । ହେଲେ ଏବେ ୪ଛୁଆଙ୍କୁ ଜନ୍ମ ଦେବାରୁ ଦେଶରେ ଖୁସିର ଲହରୀ ଖେଳିଯାଇଛି ।