ଚେକ୍ ବାଉନ୍ସ ମାମଲା, ଅଭିଯୁକ୍ତ ଗିରଫ
ବସ୍ତା : ବାଲେଶ୍ୱର ଜିଲା ବସ୍ତା ଥାନା କୁଶଡ଼ିହା ଗ୍ରାମର ରବିନ୍ଦ୍ର ସେନାପତିଙ୍କୁ ଚେକ୍ ବାଉନ୍ସ ମାମଲାରେ ବସ୍ତା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଯାଇଛି ।
ଘଟଣାରୁ ପ୍ରକାଶ ରବିନ୍ଦ୍ର ସେନାପତି ୨୦୧୮ ମସିହାରେ ୬୦ନଂ. ଜାତୀୟ ରାଜପଥ ପାର୍ଶ୍ୱ କୁଣ୍ଡପୁର ନିକଟରେ ଥିବା ମା’ ଲକ୍ଷ୍ମୀ ଇଟାଭାଟିରୁ ୫ଲକ୍ଷ ଟଙ୍କାର ଇଟା ନେଇ ଏକ ଚେକ୍ ପ୍ରଦାନ କରିଥିଲେ । ଚେକ୍ ଡିପୋଜିଟ୍ ପରେ ଉକ୍ତ ଚେକ୍ଟି ବାଉନ୍ସ ହୋଇଥିଲା । ଏନେଇ ବାରମ୍ବାର ଇଟାଭାଟି ମାଲିକ ଅଜିତ୍ କୁମାର ଷଡ଼ଙ୍ଗୀ ବ୍ୟାଙ୍କ ଓ ଗ୍ରାହକ ପାଖକୁ ଦଉଡ଼ି ଦଉଡ଼ି ନୟାନ୍ତ ହୋଇଥିଲେ । ଶେଷରେ ୨୦୧୯ରେ ସେ କୋର୍ଟରେ ଆଶ୍ରୟ ନେଇଥିଲେ । କୋର୍ଟର ନିର୍ଦ୍ଦେଶ ପରେ ବୁଧବାର ବିଳମ୍ବିତ ରାତିରେ ବସ୍ତା ଥାନା ପୋଲିସ ଚଢ଼ାଉ କରି ରବିନ୍ଦ୍ର ସେନାପତିଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିଲେ ।