ଖୁସି ଖବର! ପୁଣି ଶସ୍ତା ହେଲା ଖାଇବା ତେଲ, ୨୨ ଟଙ୍କା ପର୍ଯ୍ୟନ୍ତ ତଳକୁ ଖସିଲା ଦର, ଜାଣନ୍ତୁ ନୂଆ ରେଟ୍
ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ସହିତ ଖାଇବା ତେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ସମୟରେ ଯଦି ଆପଣ ସୋରିଷ ତେଲର ଜଣେ ଉପଭୋକ୍ତା, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ । ସୋରିଷ ତେଲର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି । ଦୁଇରୁ ତିନିମାସ ପୂର୍ବେ ସୋରିଷ ଓ ସୋୟାବିନ୍ ତେଲର ଦରରେ ବଡ଼ ଧରଣର ବୃଦ୍ଧି ରେକର୍ଡ କରାଯାଇଥିଲା । ବର୍ତ୍ତମାନ ସେଥିରେ ୧୭ରୁ ୨୨ ଟଙ୍କା ପର୍ଯ୍ୟନ୍ତ ତଳକୁ ଖସି ଆସିଛି । ଏହାର କାରଣ ହେଉଛି ଆମଦାନୀ ହେଉଥିବା ଖାଇବା ତେଲ ଉପରେ ଶୂନ୍ୟ ଟିକସ ଓ ଫ୍ୟୁଚର କାରବାର ଉପରେ ସରକାର ଏକ ନିର୍ଦ୍ଦେଶ ମଧ୍ୟ ଜାରି କରିଛି ।
ବ୍ୟବସାୟୀଙ୍କ ଅନୁଯାୟୀ, ତୈଳ ମୂଲ୍ୟରେ ଆହୁରି ହ୍ରାସ ଦେଖିବାକୁ ମିଳିବ । ଏହାଦ୍ୱାରା ଲୋକଙ୍କ ପକେଟ ଉପରେ ଚାପ କମିଯିବ । ଯଦି ଆମେ ଗତ ଏକ ମାସରେ ତେଲର ମୂଲ୍ୟକୁ ଦେଖିବା, ତେବେ ଅକ୍ଟୋବର-ନଭେମ୍ବରରେ ସୋରିଷ ତେଲ ଯାହା ଲିଟର ପିଛା ୧୮୫ ଟଙ୍କାରେ ବିକ୍ରି ହେଉଥିଲା । ତାହା ବର୍ତ୍ତମାନ ଲିଟର ପିଛା ୧୬୩ରୁ ୧୬୮ ଟଙ୍କାକୁ ଖସି ଆସିଛି । ସେହିଭଳି ସୋୟାବିନ୍ ତେଲ ଯାହା ନଭେମ୍ବରରେ ଲିଟର ପିଛା ୧୪୦ ଟଙ୍କା ଥିଲା ତାହା ବର୍ତ୍ତମାନ ଲିଟର ପିଛା ୧୩୦ରୁ ୧୩୨ ଟଙ୍କାକୁ ଖସି ଆସିଛି । ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ମୁଖ୍ୟ ଖରିଫ ଫସଲ ସୋୟାବିନର କମ୍ ଉତ୍ପାଦନ ହେତୁ ସେପ୍ଟେମ୍ବରରୁ ଏହାର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଥିଲା । ଏହି କାରଣରୁ ସୋୟାବିନ୍ ତେଲର ମୂଲ୍ୟ ସେପ୍ଟେମ୍ବରରେ ୯୦ ଟଙ୍କାରୁ ବୃଦ୍ଧି ଘଟି ଜାନୁଆରୀ ପର୍ଯ୍ୟନ୍ତ ଲିଟର ପିଛା ୧୪୦ ଟଙ୍କାକୁ ପହଞ୍ଚି ଯାଇଥିଲା ।
ତେଲ ଦରରେ ଚାରି ମାସରେ ୪୫ ଟଙ୍କା ପ୍ରତି ଲିଟର ରେକର୍ଡ ବୃଦ୍ଧିରୁ ସାଧାରଣ ଲୋକଙ୍କ ଘରର ବଜେଟ୍ ବିଗିଡ଼ିବାରେ ଲାଗିଥିଲା, କିନ୍ତୁ ବର୍ତ୍ତମାନ ଏହା ହ୍ରାସ ପାଇବାରେ ଲାଗିଛି । ଏହି କାରଣରୁ ଲୋକଙ୍କ ୮ରୁ ୧୦ ଟଙ୍କା ସଞ୍ଚୟ ହେଉଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସୋରିଷ ଉତ୍ପାଦନରେ ଉନ୍ନତି ଆସିଛି । ନିଶ୍ଚିତ ଭାବରେ ଆଗାମୀ ଦିନରେ ତେଲର ମୂଲ୍ୟ ଆହୁରି ହ୍ରାସ ପାଇବ । ରାସନରେ ଭୋଜନ ତେଲର ବଣ୍ଟନ ମଧ୍ୟ ସୋରିଷ ତେଲର ଚାହିଦା ହ୍ରାସ କରେ । ମୂଲ୍ୟ ହ୍ରାସ ହେବାର ଏହା ମଧ୍ୟ ଅନ୍ୟତମ କାରଣ । ଗତ ଏକ ମାସ ମଧ୍ୟରେ ତେଲ ଦର ଯଥେଷ୍ଟ ହ୍ରାସ ପାଇଛି ।