ବଦଳିଲା ମାଟ୍ରିକ୍ ସୂଚୀ : କେବଳ ପ୍ରଥମ ସିଟିଂରେ ହେବ ପରୀକ୍ଷା, ମୋବାଇଲ ଫୋନ ବାରଣ

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷାରେ କେବଳ ପ୍ରଥମ ସିଟିଂରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଦ୍ୱିତୀୟ ସିଟିଂରେ ହେବାକୁ ଥିବା ପରୀକ୍ଷା ପ୍ରଥମ ସିଟିଂରେ ହେବ । ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷାରେ ସାମାନ୍ୟ ପରିବର୍ତନ କରାଯାଇଛି । ତେବେ ସିଡ୍ୟୁଲରେ କୌଣସି ପରିବର୍ତନ କରାଯାଇନାହିଁ ବୋଲି ବୋର୍ଡ଼ ସଭାପତି ରାମାଶିଷ ହାଜାରା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ମଧ୍ୟମା ପରୀକ୍ଷାର କିଛି ବିଷୟ ଦ୍ୱିତୀୟ ସିଟିଂରେ ହେବାକୁ ଥିଲା । ହେଲେ ପ୍ରବଳ ଖରାପାଇଁ ଏହି ସିଡ୍ୟୁଲରେ ପରିବର୍ତନ କରାଯାଇଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା ସେଂଟରରେ ପାନୀୟ ଜଳ, ଓଆରଏସ ରଖିବାକୁ କୁହାଯାଇଛି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ସମ୍ପୂର୍ଣ୍ଣରୂପେ ବାରଣ କରାଯାଇଛି । ଆସନ୍ତା ଏପ୍ରିଲ ୨୯ ରୁ ମେ ୭ ଯାଏଁ ସକାଳ ୮ ଟା ରୁ ୧୦ଟା ମାଟ୍ରିକ ପରୀକ୍ଷା ହେବ । ଚଳିତ ବର୍ଷ ୫,୮୫,୭୩୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେବେ । ଏମାନଙ୍କ ମଧ୍ୟରୁ ୫,୭୧,୯୦୯ ଜଣ ହାଇସ୍କୁଲ, ୪,୪୪୩ ଜଣ ମଧ୍ୟମା ଏବଂ ୯,୩୭୮ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ । ମାଟ୍ରିକ୍ ପରୀକ୍ଷା ପାଇଁ ସମୁଦାୟ ୩୫୪୦ ଟି କେନ୍ଦ୍ର ଏବଂ ୩୧୫ ଟି ନୋଡ଼ାଲ୍ କେନ୍ଦ୍ର କରାଯାଇଛି । ଯାହା ଭିତରୁ ୨୧ଟି ଥାନାକୁ ନୋଡାଲ ସେଂଟର କରାଯାଇଛି । ୬୫ଟି ଫ୍ଲାଇଂ ସ୍କାର୍ଡ ପରୀକ୍ଷା ଉପରେ ନଜର ରଖିବାକୁ ମୁତୟନ ହେବେ । ଖରାକୁ ଦେଖି ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତନ କରାଯାଇଛି । ମେ ୨ ଓ ୪ ତାରିଖରେ ହେବାକୁ ଥିବା ମଧ୍ୟମା ସେକେଣ୍ଡ ସିଟିଂ ପରୀକ୍ଷା ୯ ଓ ୧୦ ତାରିଖ ପ୍ରଥମ ସିଟିଂରେ ହେବ । ସେହିପରି ଓପନ ସ୍କୁଲର ୩ଟି ସେକେଣ୍ଡ ସିଟିଂ ପରୀକ୍ଷା ଆସନ୍ତା ମାସ ୮, ୯ ଓ ୧୦ ତାରିଖ ପ୍ରଥମ ସିଟିଂରେ ହେବ । ତେବେ ହାଇସ୍କୁଲ ସାର୍ଟିଫିକେଟ ବା ମାଟ୍ରିକ ପରୀକ୍ଷା ସୂଚୀରେ ପରିବର୍ତନ ହୋଇନି ।