ଆଜିଠୁ ପାଗରେ ପରିବର୍ତ୍ତନ, ଅଧିକାଂଶ ସ୍ଥାନରେ ୮-୧୦ ଡିଗ୍ରୀ ବଢିବ ତାପମାତ୍ରା
- ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ପାଇଁ ୬ ଜିଲାକୁ ଅରେଞ୍ଜ ଓ ୨୦ ଜିଲାକୁ ୟେଲୋ ଆଲର୍ଟ ଜାରି
ଭୁବନେଶ୍ୱର : ରାଜ୍ୟରେ ଦୁଇ ଦିନ ଧରି ଲାଗିରହିଥିବା ଅଦିନିଆ ବର୍ଷା ପରେ ଆଜିଠାରୁ ପାଗରେ ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି। ଅନେକ ଜିଲାରେ ଆଜିଠୁ ପାରଦ ଉପରମୁହାଁ ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜିଠୁ ଆସନ୍ତା ୨୪ ତାରିଖ ମଧ୍ୟରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବା ସମ୍ଭାବନା ରହିଛି।
ତେବେ ଆଜି ମଧ୍ୟ କିଛି ଜିଲାରେ ହାଲୁକା ବର୍ଷା ହୋଇପାରେ। ଉପକୂଳରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ସବୁଆଡେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ପାଇଁ ୬ ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇ ଥିବାବେଳେ ୨୦ ଜିଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ପାଇଁ କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ ଏବଂ ଗଜପତି ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବାବେଳେ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ବହିବ ପବନ। ସେହିଭଳି ୨୦ ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏଠାରେ ଘଣ୍ଟାପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ୨୨ ତାରିଖରୁ ପୁଣି ବଢିବ ଖରା । ତାପମାତ୍ରା ୮ ରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୨୪ ତାରିଖ ବେଳକୁ ଦିନର ତାପମାତ୍ରା ପୁଣି ୩୮ ଡିଗ୍ରୀ ଛୁଇଁବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଗତ ୫ ବର୍ଷ ହେବ ମାର୍ଚ୍ଚ ୧୬ ରୁ ୨୦ ତାରିଖ ଭିତରେ ଏଭଳି ବର୍ଷା ହୋଇଥିବା ରେକର୍ଡ କହୁଛି। ୨୦୧୯ ଠାରୁ ଏହି ସମୟରେ ପଶ୍ଚିମଝଡ ସକ୍ରିୟ ରହୁଥିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା।