କ୍ଷମାପ୍ରାର୍ଥନା ନୁହେଁ, ଆଚରଣ ବଦଳାଅ : ସୁପ୍ରିମକୋର୍ଟ
ଆନ୍ଦୋଳନକାରୀ ଆଇନଜୀବୀଙ୍କ ଉପରୁ ପ୍ରତ୍ୟାହାର ହେବନି ମାମଲା
ନୂଆଦିଲ୍ଲୀ : ଆନ୍ଦୋଳନକାରୀ ଆଇନଜୀବୀଙ୍କ ଦ୍ୱାରା ନିସର୍ତ୍ତ କ୍ଷମାପ୍ରାର୍ଥନା ସତ୍ତ୍ବେ କୋହଳ ମନୋଭାବ ପୋଷଣ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସିଧାସଳଖ ମନା କରିଦେଇଛନ୍ତି। ରାଜ୍ୟରେ ଆଇନଜୀବୀଙ୍କ ଦ୍ୱାରା ଅଦାଲତ ପରିସରରେ ଆନ୍ଦୋଳନ ଏବଂ ଅଦାଲତ କାର୍ଯ୍ୟ ବର୍ଜନ ପ୍ରସଙ୍ଗରେ ସୋମବାର ବିଚାରପତି ସଞ୍ଜୟ କିଷନ କୌଲ ଏବଂ ବିଚାରପତି ମନୋଜ ମିଶ୍ରଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ ଆନ୍ଦୋଳନକାରୀ ଆଇନଜୀବୀଙ୍କ ତରଫରୁ ବରିଷ୍ଠ ଓକିଲ ବିଜୟ ହଂସାରିଆ ଦର୍ଶାଇଥିଲେ ଯେ ଘଟଣାରେ ସମ୍ପୃକ୍ତ ଆଇନଜୀବୀ ନିସର୍ତ୍ତ କ୍ଷମାପ୍ରାର୍ଥନା କରିସାରିଛନ୍ତି। ତେଣୁ ସେମାନଙ୍କ ବିରୋଧରେ ଜାରି ଅଦାଲତ ଅବମାନନା ମାମଲାକୁ ପ୍ରତ୍ୟାହାର କରିନିଆଯାଉ। ପ୍ରତିଉତ୍ତରରେ ବିଚାରପତି ସଞ୍ଜୟ କିଷନ କୌଲ ଟିପ୍ପଣୀ କରିଥିଲେ ଯେ ଆନ୍ଦୋଳନକାରୀମାନେ ପଶ୍ଚାତାପ କରିଥିବା ନେଇ ନ୍ୟାୟାଳୟଙ୍କ ବିଶ୍ୱାସ ହେଉନାହିଁ। ଯାହାଜଣାପଡ଼ୁଛି ଖଣ୍ଡପୀଠଙ୍କ ଚାପ ଯୋଗୁଁ ସମସ୍ତ ଘଟଣାକ୍ରମ ଘଟିଛି। ବର୍ତ୍ତମାନ ପରିସ୍ଥିତିରେ ଅଦାଲତ ଅବମାନନା ମାମଲା ପ୍ରତ୍ୟାହାର ହେବ ନାହିଁ। ଅଦାଲତ ଅବମାନନା ମାମଲା ପ୍ରୋସିଡିଂକୁ ମଧ୍ୟ ବନ୍ଦ କରାଯିବନାହିଁ। ନ୍ୟାୟାଳୟ ଆନ୍ଦୋଳନକାରୀଙ୍କ ଆଚରଣ ଉପରେ ନଜର ରଖିବେ। ଏବେ ଏହି ଘଟଣାରେ ମତାମତ ଦେବା ବହୁତ କଠିନ ହେବ। ଆନ୍ଦୋଳନକାରୀଙ୍କ ହୃଦୟରୁ କ୍ଷମା ପ୍ରାର୍ଥନା ଆସିଛି କି ନ୍ୟାୟାଳୟଙ୍କ ଚାପରେ କ୍ଷମା ମାଗିଛନ୍ତି ତାହା ସମୟନୁକ୍ରମେ ଆଚରଣରୁ ଜଣାପଡ଼ିବ ବୋଲି ବିଚାରପତି କୌଲ ଟିପ୍ପଣୀ କରିଥିଲେ। ଭବିଷ୍ୟତରେ ଯେପରି ଆନ୍ଦୋଳନ ଅଥବା ଅଦାଲତ କାର୍ଯ୍ୟ ବର୍ଜନରେ ଆନ୍ଦୋଳନକାରୀ ଆଇନଜୀବୀମାନେ ସାମିଲ ହୋଇ ନ ପାରିବେ ସେଥିଲାଗି କ୍ଷମା ପ୍ରାର୍ଥନା ସହ ଲିଖିତ ପ୍ରତିଶ୍ରୁତି ନେବାକୁ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ଓକିଲ ଅରବିନ୍ଦ ଦତ୍ତାର ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ମାମଲାର ଶୁଣାଣି ବେଳେ ପ୍ରାରମ୍ଭରେ ଆନ୍ଦୋଳନକାରୀଙ୍କ ତରଫରୁ ବରିଷ୍ଠ ଓକିଲ ବିକାଶ ସିଂ ଖଣ୍ଡପୀଠଙ୍କୁ ଦର୍ଶାଇଥିଲେ ଯେ ବିଗତ ୫୮ ଦିନ ଧରି ଜେଲରେ ଥିବା ଆଇନଜୀବୀଙ୍କୁ ମାରଧର କରାଯାଇଛି ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶନାମା କାରଣରୁ ଗିରଫ ଆଇନଜୀବୀଙ୍କୁ ଜାମିନ ମିଳୁନାହିଁ। ବିଚାରପତି କୌଲ ଟିପ୍ପଣୀ କରିଥିଲେ ଯେ ସେମାନେ ସାଧାରଣ ଜନତା ଏବଂ ବିଚାରବିଭାଗୀୟ ଅଧିକାରୀଙ୍କୁ ମାରଧର କରିଛନ୍ତି। ତେଣୁ ସେମାନଙ୍କୁ ଆଉ କିଛି ଦିନ ଜେଲରେ ରହିବାକୁ ଦିଅ। ଜେଲରେ ମହିଳା ଆଇନଜୀବୀଙ୍କ ସମେତ ୭୫ ବର୍ଷୀୟ ବ୍ୟକ୍ତି ମଧ୍ୟ ଅଛନ୍ତି ବୋଲି ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ବିଚାରପତି କୌଲ ଟିପ୍ପଣୀ କରିଥିଲେ ଯେ ସେମାନଙ୍କୁ ଉଚିତ୍ ବ୍ୟବହାର ଶିଖିବାକୁ ପଡ଼ିବ। ବର୍ଷର ଅଧିକାଂଶ ସମୟ ଆନ୍ଦୋଳନ ଏବଂ ଅଦାଲତ କାର୍ଯ୍ୟ ବର୍ଜନ ନାମରେ ଜିଲା ଅଦାଲତ ଗୁଡ଼ିକ ଅଚଳ ହୋଇପଡ଼ୁଛି। ମାମଲାକାରୀମାନେ ନ୍ୟାୟ ପାଇଁ କୁଆଡ଼େ ଯିବେ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଏଥିରୁ ଜଣାପଡ଼ୁଛି ଯେ ଆନ୍ଦୋଳନକାରୀଙ୍କ ଖାଦ୍ୟପେୟ ଓକିଲାତି ପେଷା ବଦଳରେ ଅନ୍ୟ କୌଣସି ସୂତ୍ରରୁ ଆସୁଛି। ତେବେ ନିମ୍ନ ଅଦାଲତ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଇନଜୀବୀମାନେ ଆଇନ ଅନୁଯାୟୀ ଜାମିନ ଆବେଦନ କରିପାରିବେ। ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧିନ ମାମଲା ଜାମିନ ଆବେଦନକୁ ପ୍ରଭାବିତ କରିବ ନାହିଁ ବୋଲି ବିଚାରପତି କୌଲ ସ୍ପଷ୍ଟ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୭କୁ ଧାର୍ଯ୍ୟ ହୋଇଛି।
ଖଣ୍ଡପୀଠଙ୍କୁ ଆଇନଜୀବୀ ବିଜୟ ହଂସାରିଆ କହିଥିଲେ ଯେ ଅଦାଲତ ଅବମାନନା ନୋଟିସ ଉପରେ ସମସ୍ତ ସଦସ୍ୟ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଏହାର ଉତ୍ତରରେ ଖଣ୍ଡପୀଠ କହିଥିଲେ, ଆମେ ଏବେ ବି ବିଶ୍ବାସ କରୁନାହୁଁ ଯେ ଆପଣମାନେ ଏ ନେଇ ଅନୁତପ୍ତ । ବର୍ତ୍ତମାନ ଯାହା କିଛି ହେଉଛି ତାହା ଆମର କାର୍ଯ୍ୟାନୁଷ୍ଠାନ ପାଇଁ। ଏମାନେ ପୂର୍ବରୁ ମଧ୍ୟ ଏଭଳି କରିଛନ୍ତି। ଆମେ ସମସ୍ତେ ବାରର ଅଂଶ ବିଶେଷ। ଯେଉଁଠି ଆପଣ ମୋକଦ୍ଦମାରେ ପକ୍ଷଙ୍କ ପାଇଁ ଯୁକ୍ତି କରି ଆଶ୍ବସ୍ତି ଦେବା କଥା, ସେଠାରେ ସଂପୂର୍ଣ୍ଣ ଉପଦ୍ରବ ଓ ଗୁଣ୍ଡାଗର୍ଦି ହୋଇଥିଲା। ଏହା ବହୁତ କଷ୍ଟ ଦେଉଛି। ତେଣୁ ବାର ସଦସ୍ୟମାନଙ୍କ ବିରୋଧରେ ଆମକୁ କଷ୍ଟଦାୟକ ନିଷ୍ପତ୍ତି ନେବାକୁ ପଡ଼ିଲା ବୋଲି ଖଣ୍ଡପୀଠ କହିଛନ୍ତି।