କାମିନୀକୁ ବରଣମାଳା ଦେଲେ ଚନ୍ଦନେଶ୍ୱର ମହାଦେବ, ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ମନ୍ଦିର ବିଜେ
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କ ପର୍ବ ରବିବାର ୪ ଅର୍ଘ୍ୟ ସମାପନ ହୋଇଛି । ଦେବାଧିଦେବ ଚନ୍ଦନେଶ୍ୱର ଜୀଉ ଏହି ଅର୍ଘ୍ୟରେ କାମିନୀ ନାମକ ସୁନ୍ଦରୀ ଅସୁରୁଣୀଙ୍କୁ ବରଣମାଳା ପିନ୍ଧାଇଛନ୍ତି । ବିବାହ ସନ୍ଦର୍ଶନ ଲାଗି ଚନ୍ଦନେଶ୍ୱର ପୀଠ ଭକ୍ତମୟ ହୋଇଛି । ରବିବାର ପ୍ରତ୍ୟୁଷରୁ ଭଟ୍ଟପୁର ଗ୍ରାମର ମାଳାକାର ଘରେ ଜନ୍ମିତ କାମିନୀ ଠାକୁରାଣୀଙ୍କ ସହିତ ଚନ୍ଦନେଶ୍ୱର ମହାଦେବଙ୍କ ଚଳନ୍ତି ଘଟକୁ ପୂଜା ଅର୍ଚ୍ଚନା କରାଯାଇ କନ୍ୟା ଓ ବରଙ୍କୁ ପୁଷ୍ପମାଲ୍ୟରେ ଶୋଭିତ କରାଯାଇ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ନିଆଯାଇଛି । ଚାପ, ଢ଼ୋଲ, ମହୁରୀ, ସାହାନାଇ ବାଦ୍ୟ, ଶଙ୍ଖଧ୍ୱନୀ, ରୋଷଣୀ ଓ ହରିବୋଲ ଧ୍ୱନୀରେ ରାସ୍ତାଘାଟ ଉଛୁଳି ପଡ଼ିଥିଲା । ଶୋଭାଯାତ୍ରାରେ ଠାକୁରାଣୀ ଓ ଠାକୁରଙ୍କ ଦୁଇଘଟକୁ ସେବାୟତ, ଜୀଉଙ୍କ ଶ୍ରେଷ୍ଠ ୧୩ ଭକ୍ତ, ପଣ୍ଡା, ଟ୍ରଷ୍ଟବୋର୍ଡ଼ର ସଦସ୍ୟମାନେ ଚାମର ବୁଲାଇ ମହାଦେବଙ୍କ ନୀଳ ପୋଖରୀକୁ ନେଇ ପୂଜାର୍ଚ୍ଚନା କଲା ପରେ ମନ୍ଦିର ଗର୍ଭଗୃହକୁ ନିଆଯାଇଥିଲା । ମନ୍ଦିର ରୁଦ୍ଧ ଦ୍ୱାରରେ ଚନ୍ଦନେଶ୍ୱର ମହାଦେବଙ୍କ ସହିତ କାମିନୀ ଠାକୁରାଣୀଙ୍କର ବିବାହ ସମ୍ପନ୍ନ ହୋଇଥିଲା । ଚନ୍ଦନେଶ୍ୱର ମହାଦେବଙ୍କ କାମିନୀ ବିବାହ ସମ୍ପୂର୍ଣ୍ଣ ଓଡ଼ିଆ ରୀତିନୀତିରେ ହେଉଥିବା ବେଳେ ସ୍ଥାନୀୟ ଲୋକେ ଭଗବାନଙ୍କ ଦର୍ଶନ ନିମନ୍ତେ ଭିଡ଼ ଜମାଇଥିଲେ । ଏହି ଉତ୍ସବରେ ଟ୍ରଷ୍ଟବୋର୍ଡ଼ର ସମସ୍ତ ସଦସ୍ୟ, ବିଡିଓ ଶଙ୍କର ପଟ୍ଟନାୟକ, ମୌରସୀ ତପନ କୁମାର ପଣ୍ଡା, ଚେୟାରମ୍ୟାନ୍ ପ୍ରବୀର କୁମାର ଗିରିଙ୍କ ସହ ବହୁ ଜନପ୍ରତିନିଧି, ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଆସନ୍ତା ୧୨ ତାରିଖରେ ମହାଦେବଙ୍କ ମହାନୀଳ ପର୍ବ ଅନୁଷ୍ଠିତ ହେଉଥିବାରୁ ସେବାୟତ, ପ୍ରଶାସନ ଓ ଟ୍ରଷ୍ଟ ବୋର୍ଡ଼ ତତ୍ପର ହୋଇ ଉଠିଛନ୍ତି ।
ରୋଚକ କିମ୍ବଦନ୍ତୀ ଅନୁସାରେ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ କୂଳ ପାଉ ନଥିବା ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତାଙ୍କ ଚୈତ୍ର ଚଡ଼କ ପର୍ବ ଅନେକ ରୋଚକ କିମ୍ବଦନ୍ତୀ ରହିଛି । ଚୈତ୍ର ମାସରେ ହିନ୍ଦୁଙ୍କ ବିବାହ ହେଉନଥିବା ବେଳ ସ୍ୱୟଂ ଶିବ ଏହି ମାସରେ ବିବାହ ହେବା ଏକ ବୈଚିତ୍ରମୟ ଆଧ୍ୟାତ୍ମିକ ନିଆରା ଆକର୍ଷଣ ସୃଷ୍ଟି ହୋଇଥାଏ । ଭୋଳାନାଥଙ୍କୁ ପତି ରୂପେ ପାଇବା ନିମନ୍ତେ ଅସୁର କୂଳରେ ଜନ୍ମିତ ସୁନ୍ଦରୀ ଅସୁରୀଣୀ କାମିନୀ କଠୋର ତପସ୍ୟା କରିବାରୁ ଶଙ୍କର ତାଙ୍କୁ ବରଦାନ କରିଥିଲେ । ପରେ ମହାଦେବ ଦୁର୍ଗା ଓ କାଳୀଙ୍କ ସହମତି ବିନା ସେ କିପରି କାମିନୀକୁ ପତ୍ନୀ ରୂପେ ଗ୍ରହଣ କରିବେ ବୁଝିପାରି ଚନ୍ଦନେଶ୍ୱର ନିକଟବର୍ତ୍ତୀ ଭଟ୍ଟପୁର ଗ୍ରାମର ମାଳାକାର ଘରେ ମର୍ତ୍ତ୍ୟପୂରରେ ଜନ୍ମ ନେଲେ ସେ ପତ୍ନୀ ରୂପେ ଗ୍ରହଣ କରିବେ ବୋଲି କହିଥିବାର କିମ୍ବଦନ୍ତୀ ରହିଛି । ଅପରପକ୍ଷରେ ମଣିଷର ୧୬ ପ୍ରକାରର କାମନାକୁ ଜୀଉଙ୍କ ଠାରେ ସମର୍ପଣ ନିମନ୍ତେ କାମନା ବିବାହ ହୁଏ ବୋଲି ଲୋକକଥା ରହିଛି ।