ରେମୁଣା ବିଜେଡ଼ି ବିଧାୟକ ପ୍ରାର୍ଥୀ ପରିବର୍ତ୍ତନ ଦାବି କଲେ ଚନ୍ଦନ
ରେମୁଣା : ବାଲେଶ୍ୱର ଜିଲା ରେମୁଣା ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ବିଜେଡିରୁ ବହିଷ୍କାର ହେବ ପରେ ସତେ ଯେପରି ରେମୁଣା ବିଜେଡିକୁ ଶନିଦଶା ପଡିଛି । ଶ୍ରୀ ପରିଡ଼ାଙ୍କୁ ଦଳ ବିଦା କରିବା ପରେ ନୂଆ ଚେହରା ଗତ ଚାରିମାସ ହେଲା ଖୋଜା ପଡିଥିଲା । ଅଧ ଡଜନେ ଆଶାୟୀ ଆବେଦନ କରିଥିଲା ବେଳେ ଦଳ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଆମଦାନୀ କରି ରେମୁଣାରୁ ପ୍ରାର୍ଥୀ ହେବାକୁ ପରାମର୍ଶ ଦେଇଥିଲା । ମାତ୍ର ସେ ରାଜି ହେଲେ ନାହିଁ । ତେବେ ଦଳ ଲାଗି ପନ୍ଦର ବର୍ଷ ଧରି କାମ କରିଆସିଥିବା ଯୁବ ନେତା ଚନ୍ଦନ ମଲ୍ଲିକଙ୍କୁ ସଂଗଠନ ସଜାଡ଼ିବାକୁ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ଦାସ କହିଥିଲେ । ଏପରିକି ତାଙ୍କୁ ପୁରସ୍କାର ଦିଆଯିବ ବୋଲି କୁହା ଯାଇଥିଲା । ହେଲେ ପତ୍ରିପାଳ ସରପଞ୍ଚ ବିଦ୍ୟାସ୍ମିତା ମହାଳିକଙ୍କୁ ଦଳ ଗତ ତିନିଦିନ ତଳେ ଟିକଟ ଦିଆଯିବ ନେଇ ଘୋଷଣା କରିଥିଲା । ଏହି ପରିପ୍ରେକ୍ଷୀରେ ସୋମବାର ଶ୍ରୀ ମଲ୍ଲିକ ନିଜର ୪ଶହ ସମର୍ଥକଙ୍କ ସହ ମିଶି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।
ଏଥିରେ ସେ କହିଥିଲେ ଯେ, ଦଳ ସଭାପତି ନବୀନ ପଟ୍ଟନାୟକ ରେମୁଣାରେ ଯୁବ ନେତାଙ୍କୁ ଟିକଟ ଦିଅନ୍ତୁ ଓ ଦେଇଥିବା ପ୍ରାର୍ଥୀଙ୍କୁ ପ୍ରତ୍ୟାହାର କରନ୍ତୁ । ଯଦି ତାଙ୍କ ପରାମର୍ଶ ଦଳ ଗ୍ରହଣ ନକରେ ତେବେ ସେ ଦଳରୁ ଇସ୍ତଫା ଦେଇ ନିର୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ । ଦଳର ଜିଲା ପର୍ଯ୍ୟବେକ୍ଷକ ପ୍ରାର୍ଥୀ ତାଲିକା ଓ ନିର୍ବାଚିତ ପିଆରଆଇ ସଦସ୍ୟଙ୍କ ମତାମତ ନୋସିରେ ଗ୍ରହଣ କଲା ବେଳେ ନିରପେକ୍ଷତା ଅବଲମ୍ବନ କରିଛନ୍ତି କି ନାହିଁ ତା’ ଉପରେ ଶ୍ରୀ ମଲ୍ଲିକ ପ୍ରଶ୍ନ ଉଠାଇବା ସହ ବିଜେଡି ରାଜ୍ୟ ସଭାପତି ତୁରନ୍ତ ବିଜେଡିର ରେମୁଣା ପ୍ରାର୍ଥୀ ପରିବର୍ତନ କରିବାକୁ ଦାବି କରିଛନ୍ତି ।