କାଳବୈଶାଖି ସମ୍ଭାବନା ! ଘଡ଼ଘଡ଼ି ସହ ବର୍ଷା ନେଇ ୯ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୧୮ ତାରିଖ ଯାଏ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ବର୍ଷା ସହ ଘଡ଼ଘଡ଼ି ମଧ୍ୟ ହୋଇପାରେ । ଏନେଇ ଆଜି ରାଜ୍ୟର ୯ ଜିଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଜିଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ କଟକ ରହିଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ । ଏଥିସହ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ ସୁନ୍ଦରଗଡ଼ର କିଛି କିଛି ସ୍ଥାନରେ ମଧ୍ୟ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ସେହିପରି ୧୮ ତାରିଖ ଦିନ କାଳବୈଶାଖୀର ପ୍ରଭାବ ଓ ପ୍ରକୋପ ଅପେକ୍ଷାକୃତ କମ୍ ରହିଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅପରାହ୍ନ ଆଡ଼କୁ କାଳବୈଶାଖୀ ଜନିତ ଝଡ଼ବର୍ଷା ହେବ। ଏନେଇ ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏଭଳି ପୂର୍ବାନୁମାନ କରିଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟରେ ପାରଦ ଏବେ ଉପରମୁହାଁ ହୋଇଥିବା ବେଳେ ଆଉ ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଏହିଭଳି ତାତି ଜାରି ରହିବ । ଗତ ଦୁଇ ଦିନ ହେଲା ପୁଣି ଥରେ ପଶ୍ଚିମ ଓଡ଼ିଶା ଜଳିବା ଆରମ୍ଭ କରିଛି। ରାଜ୍ୟର ରବିବାର ୧୧ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ପଶ୍ଚିମ ଓଡ଼ିଶାର ଦୁଇ ସହରର ତାପମାତ୍ରା ୪୩ ଡିଗ୍ରି ଅତିକ୍ରମ କରିଛି । ୪୩.୨ ଡିଗ୍ରି ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ଉତପ୍ତ ସହର ପାଲଟିଥିବା ବେଳେ ଏହା ପଛକୁ ରହିଛି ସୋନପୁର ସହର ।