ଧାନ ଗଛରେ ଚକଡ଼ା ପୋକ, ଚାଷ ଜାଳିଲେ ଚାଷୀ
ନୀଳଗିରି ଉପଖଣ୍ଡକୁ ମରୁଡ଼ି ଘୋଷଣା ଦାବିରେ ଦାବି ପତ୍ର ପ୍ରଦାନ
ନୀଳଗିରି : ନୀଳଗିରିରେ ବର୍ଷା ଅଭାବ । ଫଳରେ ଚାଷ ନଷ୍ଟ ହେବାକୁ ବସିଲାଣି । ଏବେ ଧାନ ଗଛରୁ କେଣ୍ଡାଗୁଡ଼ିକ ବାହାରିଥିବା ବେଳେ ଚକଡ଼ା ପୋକ ଓ ଜଉଆ ରୋଗରେ ଧାନ ନଷ୍ଟ ହେବାକୁ ଲାଗିଛି । ସ୍ୱଳ୍ପ ବୃଷ୍ଟି, ଲଘୁଚାପଜନିତ ବର୍ଷା ଓ ହାତୀ ମାନଙ୍କ କବଳରୁ ବହୁ କଷ୍ଟରେ ଫସଲ ବଞ୍ଚାଇ ଚାଷୀ ଅମଳ ପାଇଁ ଆଶା ରଖିଥିବା ବେଳେ ଏହି ରୋଗ ପୋକ ଦମନ କରିବା ସେମାନଙ୍କ ପକ୍ଷରେ କଷ୍ଟସାଧ୍ୟ ହୋଇପଡ଼ିଛି । ଚାଷୀ ମାନେ ଉଚ୍ଚ ଦରରେ କୀଟନାଶକ କିଣି ବାରମ୍ବାର ସିଞ୍ଚନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ । ବିଶେଷ କରି ନୀଳଗିରି ବ୍ଲକ ଧରମପୁର ପଞ୍ଚାୟତ ବାଂଶପାଳ ଗ୍ରାମରେ ଚକଡ଼ା ପ୍ରଭାବ ଦେଖାଦେଇଥିବାରୁ ବାଧ୍ୟ ହୋଇ ଚାଷୀମାନେ କଷ୍ଟ କରି ଉପୁଯାଇଥିବା ଧାନକୁ ଜାଳିଦେଇଥିବା ଦେଖିବାକୁ ମିଳିଛି । ଫଳରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନୀଳଗିରି ଅଞ୍ଚଳ କମିଟି ପକ୍ଷରୁ ନୀଳଗିରି ଉପଖଣ୍ଡକୁ ମରୁଡ଼ି ଘୋଷଣା ଦାବିରେ ନୀଳଗିରି ଉପ-ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।
ସୂଚନା ଯେ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନୀଳଗିରରି ଅଞ୍ଚଳ କମିଟି ତରଫରୁ ଗୁରୁବାର ପୂର୍ବାହ୍ନ ୧୧ ଘଟିକା ସମୟରେ ନୀଳଗିରି ଉପ-ଜିଲାପାଳ ଦୀପ୍ତି ରଞ୍ଜନ ସେଠୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏଥିରେ ଦର୍ଶାଯାଇଛି ନୀଳଗିରି ଉପଖଣ୍ଡ ଏକ ପାହାଡ଼ିଆ ଅଞ୍ଚଳ । ପଶ୍ଚିମରେ ଦେବଗିରି ପାହାଡ଼, କୁଲଡ଼ିହା ଅଭୟାରଣ୍ୟ, ବିଜ୍ଞାପିତ ଅଞ୍ଚଳକୁ ଲାଗି ସ୍ୱର୍ଣ୍ଣଚୂଡ଼ ପର୍ବତ । ପାହାଡ଼ ପର୍ବତରୁ ପାଣି ସମୁଦ୍ରରେ ମିଶେ । ମାତ୍ର ଉକ୍ତ ପାଣିକୁ ଅଟକାଇବା ଭଳି କୌଣସି ନଦୀବନ୍ଧ ଯୋଜନା ନାହିଁ । ଏହି ଉପଖଣ୍ଡର ଉତ୍ତରରେ ଟଙ୍ଗଣା, ସୋନ ଭଳି ନଦିର ପାଣିକୁ ନେଇ ଚାଷରେ ବିନିଯୋଗ କରିବାର କୌଣସି ବ୍ୟବସ୍ଥା ନ ଥିବାରୁ ବର୍ଷାର ପାଣିକୁ ଭରସା କରି ଚାଷି ଗୋଟିଏ ଥର ଖରିଫ ଋତୁରେ ଧାନ ଚାଷ କରେ । ଦୀର୍ଘ ଏକ ମାସ ଧରି ବର୍ଷା ନ ହେବା ଯୋଗୁଁ ଚାଷୀର ଷୋଳପଣ ଆଶା ଆଜି ମରୁଡ଼ି ଗର୍ଭରେ । ପୁଣି ଯେଉଁ ଜମି ପାହାଡ଼ କୋଳରେ ଝରଣା ପାଣିରେ ଯେଉଁ ଚାଷ ହୋଇଥିଲା, ତାହା ହାତୀ ଦ୍ୱାରା ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇଛି । ଶୁଖିଲା ଧାନ କ୍ଷେତରେ ଚକଡ଼ା ପୋକର ଆକ୍ରମଣ ଚାଷୀକୁ ଋଣ ଯନ୍ତ୍ରଣା ଭିତରକୁ ଠେଲିବା ସହ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛି । ଏହି ଚାଷୀକୂଳକୁ ଉଦ୍ଧାର ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନୀଳଗିରି ଅଞ୍ଚଳ କମିଟି ୭ଟି ପ୍ରସ୍ତାବର ଦାବି ପ୍ରଦାନ କରି ସମାଧାନ କରିବାକୁ ଦାବୀ କରୁଛନ୍ତି । ନୀଳଗିରି ଉପଖଣ୍ଡକୁ ମରୁଡ଼ି ଅଞ୍ଚଳ ଭାବେ ଘୋଷଣା, ଉପଖଣ୍ଡରେ ଥିବା ଗଭୀର ନଳ କୂପକୁ ତ୍ୱରାନିତ କରି ବିଜୁଳି ସଂଯୋଗ, ଗରିବ ଚାଷୀଙ୍କୁ ଜମିରେ ପାଣି ମଡ଼ାଇବା ପାଇଁ ମାଗଣାରେ ପମ୍ପସେଟ୍, ପାଇଲଟ ଯୋଜନାରେ ନଳକୂପ ଗୁଡ଼ିକୁ ବ୍ୟକ୍ତିଗତ ଜମିର ମାଲିକ ଠାରୁ ଉଧାର କରି ଚାଷ ଜମିରେ ପାଣି ମଡ଼େଇବା ଦାୟିତ୍ୱ, ଚାଷ ନଷ୍ଟ କରୁଥିବା ବୁଲା ଷଣ୍ଢ ଓ ଗୋରୁମାନଙ୍କୁ ସରକାରୀ ଭାବେ ଉଦ୍ଧାର କରି ଗୋଶାଳାରେ ରଖିବା, ଚକଡ଼ା ପୋକ ଦାଉରୁ ଧାନକ୍ଷେତକୁ ରକ୍ଷା କରିବା ପାଇଁ ଋଷୀମାନଙ୍କୁ ମାଗଣାରେ ପୋକମରା ଔଷଧ ଦେବା, ଲୋକମାନଙ୍କୁ ମନରେଗା ଯୋଜନାରେ କାମ ଯୋଗାଇ ଦିଆଯାଉ ।
ଦାବୀଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରା ନ ଗଲେ ଚାଷୀମାନଙ୍କୁ ସୁରକ୍ଷା ପାଇଁ ଭାରତୀୟ ପିଓ କମ୍ୟୁନିଷ୍ଟ ପାର୍ଟି ଉକ୍ତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ଆଗାମୀ ସପ୍ତାହରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବାର ସୂଚନା ଦେଇଛନ୍ତି । ଏଥିରେ ସିପିଆଇର ଜିଲା ସେକ୍ରେଟାରୀ ନିରଞ୍ଜନ ବାରିକଙ୍କ ସହ ଶତାଧିକ ଚାଷୀ ଆସିଥିଲେ । ଅନ୍ୟପକ୍ଷରେ ସ୍ୱଳ୍ପ ବୃଷ୍ଟି, ଲଘୁଚାପଜନିତ ବର୍ଷା ଓ ହାତୀମାନଙ୍କ କବଳରୁ ବହୁ କଷ୍ଟରେ ଫସଲ ବଞ୍ଚାଇ ଚାଷୀ ଅମଳ ପାଇଁ ଆଶା ରଖିଥିବା ବେଳେ ଏବେ ଧାନର କେଣ୍ଡା ଗୁଡ଼ିକ ବାହାରିଥିବା ବେଳେ ଚକଡ଼ା ଓ ଜଉଆ ରୋଗରେ ସବୁ ଧାନ ନଷ୍ଟ ହେବାକୁ ଲାଗିଛି । ଏହି ରୋଗ ପୋକ ଦମନ କରିବା ସେମାନଙ୍କ ପକ୍ଷରେ କଷ୍ଟସାଧ୍ୟ ହୋଇପଡ଼ିଥିବାରୁ ନୀଳଗିରି ବ୍ଲକ ବାଉଁଶପାଳ ଗ୍ରାମରେ ଚକଡା଼ ପ୍ରଭାବରେ ଚାଷ କରିଥିବା ଧାନକୁ ଜଳିବାକୁ ବାଧ୍ୟ ହୋଇଛନ୍ତି ଚାଷୀ ।