ବାଉଁଶ ଛେଦନରୁ ଆରମ୍ଭ ହେଲା ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କପର୍ବ
ଭୋଗରାଇ : ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକର ଅଧୀନ ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତା ଶ୍ରୀ ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଚୈତ୍ର ଚଡ଼କ ପର୍ବ ଶୁକ୍ରବାର ପୋଡ଼ା ବାଉଁଶ ଛେଦନରୁ ଆରମ୍ଭ ହୋଇଛି । ଶନିବାର ପ୍ରତ୍ୟୁଷରୁ ଜୀଉଙ୍କ ଚିରାଚରିତ ଧର୍ମୀୟ ପରମ୍ପରା ଅନୁଯାୟୀ ଘଟ ଉତ୍ତୋଳନ ନିମନ୍ତେ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ଚନ୍ଦନେଶ୍ୱର ମହାଦେବଙ୍କ ଶ୍ରେଷ୍ଠ ଭକ୍ତ ପାଟଭକ୍ତ ବ୍ରତଧାରଣ କଲା ପରେ ପର୍ଯ୍ୟାୟ କ୍ରମେ ଅନ୍ୟ ପ୍ରମୁଖ ଦେଉଳିଆ, ଶ୍ରୀବେକିଡ଼ି ସମେତ ୧୩ଜଣ ଭକ୍ତ ଉପବୀତ ଧାରଣ କରି ନୀଳକଣ୍ଠକୁ ଆରାଧନା କରିବେ ।
ଚଳିତବର୍ଷ କୋଭିଡ୍ କଟକଣା ଯୋଗୁଁ ମନ୍ଦିର ଟ୍ରଷ୍ଟବୋର୍ଡ଼ ଓ ଜିଲାପ୍ରଶାସନ ଗତ ୨୧ ।୩ ।୨୨ରେ ମେଳା ବନ୍ଦ ପାଇଁ ଘୋଷଣା କରିଥିବା ବେଳେ ଲକ୍ଷାଧିକ ଉପବୀତଧାରି ଭକ୍ତଙ୍କୁ ବ୍ରତ ପାଳନ ନିମନ୍ତେ ଅଙ୍କୁଶ ଲଗାଇଛନ୍ତି । ୧୩ ଉପବୀତଧାରି ପ୍ରମୁଖ ଶୈବଭକ୍ତମାନେ ୧୩ଦିନ ଧରି ୨୪ ଘଣ୍ଟାରେ ଛେପ ନ ଢ଼ୋକି ଜୀଉଙ୍କ ଅର୍ଘ୍ୟ ପିଣ୍ଡରେ ସନ୍ଧ୍ୟା ପରେ ଅର୍ଘ୍ୟ ଦାନ କରିବେ । ଏହି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ରୋକିବାକୁ ଟ୍ରଷ୍ଟବୋର୍ଡ଼ ଓ ପ୍ରଶାସନ ମେଳାକୁ ନା କହିଥିବା ବେଳେ ଜୀଉଙ୍କ କାମିନୀ ବିବାହ, ଦୈନିକ ନୀତିକାନ୍ତି ପୂଜା, ମହାନୀଳ ଓ ପ୍ରସିଦ୍ଧ ପାଟ ଉତ୍ସବର କୌଳିକ ପ୍ରଥମ ଅନୁଯାୟୀ ହେବ ବୋଲି ଘୋଷଣା କରାଯାଇଛି । ତେବେ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ଭିଡ଼କୁ କିପରି ନିୟନ୍ତ୍ରଣ କରାଯିବ ଏଥିପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟରେ କୋଭିଡ୍ କଟକଣା ହଟିବା ପରେ ମହାଦେବଙ୍କ ଠାରେ ଦୈନନ୍ଦିତ ସହସ୍ରାଧିକ ଶୈବଭକ୍ତମାନେ ଦର୍ଶନ ପୂଜାଅର୍ଚ୍ଚନା ଓ ଆରାଧନା କରୁଛନ୍ତି । ଚୈତ୍ର ମାସରେ ଚନ୍ଦନେଶ୍ୱର ମହାଦେବଙ୍କ ବିବାହ ଋତୁ ହୋଇଥିବାରୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ବହୁ ଶୈବଭକ୍ତ ମନସ୍କାମନା ନିମନ୍ତେ ଜୀଉଙ୍କ ଠାରେ ଅଧିଆ ପଡ଼ିଛନ୍ତି ।