ସଦର ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ୭୨ତମ ଜନ୍ମ ଦିବସ ପାଳନ, ବଇଁଚାରେ ଚାରା ରୋପଣ
ବାଲେଶ୍ୱର : ବିଶ୍ୱର ଲୋକପ୍ରିୟ ଜନନେତା ଆଧୁନିକ ଭାରତର ନିର୍ମାତା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଶନିବାର ହେଉଛି ୭୨ତମ ଜନ୍ମ ଦିବସ । ଏହି ଶୁଭ ଅବସରରେ ବାଲେଶ୍ୱର ସଦର ବିଜେପି ପକ୍ଷରୁ ମୋଦିଜୀଙ୍କ ଜନ୍ମ ଦିବସ ପାଳନ କରାଯାଇଛି । ଏହି ଅବସରରେ ଶନିବାର ବଇଁଚା ପଞ୍ଚାୟତରେ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଚାରା ରୋପଣ କାର୍ଯର୍୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପ୍ରଧାନମନ୍ତ୍ରୀଙ୍କ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଏବଂ ତାଙ୍କ ଦୃଢ଼ ନେତୃତ୍ୱ ବଳରେ ସେ ଆଜି ବିଶ୍ୱ ସ୍ତରରେ ସବୁଠୁ ଲୋକପ୍ରିୟ ନେତାର ଆଖ୍ୟା ପାଇଛନ୍ତି । ସେ ଉତ୍ତମ ନୈତିକ ଓ ସାମାଜିକ ମୂଲ୍ୟବୋଧ ଜରିଆରେ ଆମ ସମାଜ ଓ ରାଷ୍ଟ୍ରର ସାମଗ୍ରିକ ବିକାଶରେ ବିଶ୍ୱାସ କରନ୍ତି । ସେ ସବୁବେଳେ ଜନସାଧାରଣଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇଆସିଛନ୍ତି । ସମସ୍ତଙ୍କ ନିକଟରେ ନୀତି ଓ ଯୋଜନାରେ ଲାଭ ପହଞ୍ଚାଇବା ନିମନ୍ତେ ସବୁ ନାଗରିକଙ୍କୁ ସମ୍ପୃକ୍ତ କରିଛନ୍ତି । ତାଙ୍କ ଦୃଢ ଇଚ୍ଛାଶକ୍ତି ଓ ଅତୁଟ ପ୍ରତିବଦ୍ଧତା ବଳରେ ଜମ୍ମୁ କାଶ୍ମୀରରେ ଧାରା ୩୭୦ ହଟିବା ସହ ଦେଶବାସୀଙ୍କ ଆକାଂକ୍ଷା ଏକ ରାଷ୍ଟ୍ର, ଏକ ସମ୍ବିଧାନ ସଂକଳ୍ପ ମଧ୍ୟ ପୂରା କଲେ । ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ କୌଣସି ସରକାର ସାହସ ଜୁଟାଇ ପାରିନଥିଲେ, ମାତ୍ର ମୋଦି ସରକାର ସର୍ଜିକାଲ ଷ୍ଟ୍ରାଇକ ଓ ଏୟାର ଷ୍ଟ୍ରାଇକ ମାଧ୍ୟମରେ ଆତଙ୍କବାଦୀ, ଭାରତ ବିରୋଧୀ ଶକ୍ତି ଓ ସମଗ୍ର ବିଶ୍ୱକୁ କଠୋର ବାର୍ତ୍ତା ଦେଇଥିଲେ ଯେ ଭାରତ ନିଜର ଜନସାଧାରଣ ଓ ସୀମା ସୁରକ୍ଷା ପାଇଁ ଯେକୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ମୋଦି ସରକାରଙ୍କ ନେତୃତ୍ୱରେ ବିଶ୍ୱର ସର୍ବବୃହତ ମାଗଣା ଟୀକାକରଣ ଅଭିଯାନରେ ଦେଶରେ ମାତ୍ର ୧୮ ମାସରେ ୨୦୦ କୋଟିରୁ ଉର୍ଦ୍ଧ୍ୱ ଟୀକାକରଣ ହୋଇଯାଇଅଛି, ଯାହାକି ବିଶ୍ୱରେ ରେକର୍ଡ଼ । ବିଶ୍ୱସ୍ତରରେ ଆମେରିକା, ୟୁରୋପ ଏବଂ ଉପସାଗରୀୟ ଦେଶଗୁଡ଼ିକ ସହିତ କୂଟନୈତିକ ସମ୍ପର୍କକୁ ସେ ଏକ ନୁଆ ସ୍ତରକୁ ନେଇଯାଇଛନ୍ତି । କୃଷକ, ଦଳିତ, ମହିଳା, ଅବହେଳିତ ଏବଂ ଯୁବପୀଢ଼ିଙ୍କ ଜୀବନରେ ସୁଧାର ଆଣିବା ଲାଗି ସେ ଆଜୀବନ ନିଜକୁ ସମର୍ପି ଦେଇଛନ୍ତି । ମୋଦି ସରକାର ଦେଶର ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦେଇ ନୁଆ ଭାରତର ଭିତ୍ତି ପକାଇଛନ୍ତି । ସଡ଼କ, ରେଳ, ବନ୍ଦର, ବିମାନସେବା ଆଦିରେ ସମ୍ପ୍ରସାରଣ ଓ ନୂତନତ୍ୱ ଦେଖିବାକୁ ମିଳିଛି । ମୋଦିଜୀଙ୍କ ସବ୍କା ସାଥ୍ ସବ୍କା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ମନ୍ତ୍ରକୁ ପାଥେୟ କରି ଆମ୍ଭେ ସମସ୍ତେ ଜନସାଧାରଣଙ୍କ କଲ୍ୟାଣ ଏବଂ ଉନ୍ନତି ଦିଗରେ ସମର୍ପି ଦେବା ପାଇଁ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ଶ୍ରୀ ଦତ୍ତ ଆହ୍ୱାନ ଦେଇଛନ୍ତି । କାର୍ଯ୍ୟକ୍ରମରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ବରିଷ୍ଠ ନେତା ଗୌରାଙ୍ଗ ଦାସ, ଜିଲା ପରିଷଦ ସଭ୍ୟ ଗୟାଧର ବେହେରା, ସରପଞ୍ଚ ରବିନାରାୟଣ ପ୍ରଧାନ, ନାଏବ ସରପଞ୍ଚ ସୁଭଦ୍ରା ଖଟୁଆ, ସମିତିସଭ୍ୟା ଗୀତା ସରେନ, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ଅନନ୍ତ ନାୟକ, ଉପେନ୍ଦ୍ର ଶତପଥୀ, ରାଜେନ୍ଦ୍ର ଚାଟାର୍ଜୀ, ଅମ୍ବିକା ବେହେରା, ଅଶୋକ ଖଟୁଆ, ଶ୍ରୀନିବାସ ମହାଳିକ, ଭୀମକାନ୍ତ ତରେଇ, ଅଶୋକ ଓଝା, ମାମୁନୀ ମାଝୀ, ଗାୟତ୍ରୀ ମାଝୀ, ରାଜେଶ ମାଝୀ, ଜୟନ୍ତ ସେଠୀ, ରାକେଶ ଖୁଣ୍ଟିଆ, ରାଜକିଶୋର ଖଟୁଆ, ବଦ୍ରିନାଥ ବେହେରା, ଅଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।