ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟାଙ୍କ ଘରେ ସିବିଆଇ ଚଢଉ, ୨୦ଟି ସ୍ଥାନରେ ଚଢଉ
ନୂଆଦିଲ୍ଲୀ: ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ତଥା ‘ଆପ୍’ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କ ଘରେ ସିବିିଆଇ ଚଢଉ। ବାସଭବନ ସମେତ ଦିଲ୍ଲୀ ଏବଂ ସଂଲଗ୍ନ ଅଞ୍ଚଳ ଅନ୍ତର୍ଗତ ୨୦ଟି ସ୍ଥାନରେ ଶୁକ୍ରବାର ସକାଳୁ ‘ସିବିଆଇ’ ଟିମ୍ ଚଢ଼ାଉ କରି ତଲାସ ଆରମ୍ଭ କରିଛି। ‘ଦିଲ୍ଲୀ ଅବକାରୀ ନୀତି’ରେ ଅନିୟମିତା ହୋଇଥିବା ଅଭିଯୋଗ ସଂକ୍ରାନ୍ତରେ ଚାଲିଥିବା ତଦନ୍ତ ପରିପ୍ରେକ୍ଷୀରେ ‘ସିବିଆଇ’ ଚଢ଼ାଉ କରିଛି। ମନୀଷ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେବା ସହ ଏପରି କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଛନ୍ତି ।
ସେ କହିଛନ୍ତି ଯେ, ଯିଏ ଭଲ କାମ କରେ ତା’ ବିରୋଧରେ ଏପରି ଷଡଯନ୍ତ୍ର ହୁଏ ବୋଲି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ମନୀଷ । ଆମେ ଦିଲ୍ଲୀ ପାଇଁ ନିଷ୍ଠାର ସହ କାମ କରୁଛୁ । ଏଠିକାର ଲକ୍ଷଲକ୍ଷ ପିଲାଙ୍କର ଭବିଷ୍ୟତ ଗଢୁଛୁ । ହେଲେ ଦୁର୍ଭାଗ୍ୟପୂର୍ଣ୍ଣ କଥା ହେଉଛି ଆମେ ଦେଶରେ ଯିଏ ଭଲ କାମ କରେ ତାକୁ ଏପରି ହଇରାଣ କରାଯାଏ । ଏଥିପାଇଁ ଆମ ଦେଶ ୧-ନମ୍ବର ହୋଇପାରୁ ନାହିଁ ବୋଲି କହିଛନ୍ତି । ସେହିପରି ଦିଲ୍ଲୀରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ସବୁଠାରୁ ଭଲ ଭାବରେ କାମ କରୁଛି । ହେଲେ କିଛି ସ୍ୱାର୍ଥନ୍ୱେଷୀ ଲୋକ ଦିଲ୍ଲୀର ଏପରି ବିକାଶକୁ ସହିପାରୁନାହାଁନ୍ତି । ଏଥିପାଇଁ ଦିଲ୍ଲୀର ସ୍ୱାସ୍ଥ୍ୟ ଓ ଶିକ୍ଷା ମନ୍ତ୍ରୀଙ୍କୁ ଟାର୍ଗେଟ କରାଯାଇଛି । ହେଲେ କୋର୍ଟରେ ସବୁ ସତ ସାମ୍ନାକୁ ଆସିବ ବୋଲି ସିସୋଦିୟା କହିଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି ଯେ, ‘ସିବିଆଇ’କୁ ସ୍ବାଗତ। ଆମେ ପୂର୍ଣ୍ଣସହଯୋଗ କରିବୁ। ପୂର୍ବରୁ ମଧ୍ୟ ଖାନତଲାସ୍/ଚଢ଼ାଉ କରାଯାଇଛି, କିନ୍ତୁ କିଛି ମିଳିନାହିଁ। ଏଥର ବି କିଛି ମିଳିବ ନାହିଁ।