ତୃଣମୂଳ ବିଧାୟକ ଜୀବନକୃଷ୍ଣ ସାହାଙ୍କୁ ୬୫ ଘଂଟା ପଚରା ଉଚରା ପରେ ଗିରଫ କଲା ସିବିଆଇ
କୋଲକାତା : ପଶ୍ଚିମବଙ୍ଗରେ ବହୁଚର୍ଚ୍ଚିତ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ମାମଲାରେ ଶାସକ ଦଳ ତୃଣମୂଳ କଂଗ୍ରେସର ମୁର୍ଶିଦାବାଦ ବରବାନର ବିଧାୟକ ଜୀବନକୃଷ୍ଣ ସାହାଙ୍କୁ ୬୫ ଘଂଟା ପଚରା ଉଚରା ପରେ ଗିରଫ କରିଛି ସିବିଆଇ । ଯାଂଚ ଏଜେନ୍ସୀ କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳ ଏବଂ ରାଜ୍ୟ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସାହାଙ୍କୁ ଦୁର୍ଗାପୁର ସ୍ଥିତ ଅସ୍ଥାୟୀ କ୍ୟାମ୍ପକୁ ନିଆଯାଇଥିଲା । ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ କୋଲକାତାର ନିଜାମ ପେଲେସ ସ୍ଥିତ ଏଜେନ୍ସିର କାର୍ଯ୍ୟାଳୟକୁ ନିଆଯିବ । ଏହାପରେ କୋର୍ଟରେ ହାଜର କରାଯିବ । ତଦନ୍ତରେ ସହଯୋଗ ନକରିବା ଏବଂ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ତାଙ୍କୁ ଗିରଫ କରାଯାଇଛି । ମାମଲାରେ ଏହା ପୂର୍ବରୁ ତୃଣମୂଳ କଂଗ୍ରେସର ବିଧାୟକ ତଥା ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜିଙ୍କ ବ୍ୟତୀତ ନଦିୟା ଜିଲ୍ଲାର ପଲାଶିପାଡାର ତୃଣମୂଳ କଂଗ୍ରେସ ବିଧାୟକ ତଥା ପ୍ରାଥମିକ ଶିକ୍ଷା ପରିଷଦର ପୂର୍ବତନ ଅଧ୍ୟକ୍ଷ ମାଣିକ ଭଟ୍ଟାଚାର୍ଯ୍ୟ ଗିରଫ ହୋଇଛନ୍ତି ।