ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ ମାମଲା : ଫିରିଙ୍ଗିଆ ଥାନାର ପୂର୍ବତନ ଆଇଆଇସି ଓ ଦୁଇ ହୋମଗାର୍ଡଙ୍କ ନାଁରେ ଏନଡିପିସି ଆକ୍ଟରେ ମାମଲା ରୁଜୁ

- ପ୍ରସ୍ତାବିତ ମହାସମାବେଶ ସ୍ଥଗିତ ରଖିଲା କନ୍ଧମାଳ ମିଳିତ ମଞ୍ଚ
ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ଥାନାର ପୂର୍ବତନ ଆଇଆଇସି ଓ ଦୁଇ ହୋମଗାର୍ଡଙ୍କ ନାଁରେ ଏନଡିପିସି ଆକ୍ଟରେ ମାମଲା ରୁଜୁ କରାଯାଇଛି । କନ୍ଧମାଳ ଅତିରିକ୍ତ ଏସପି ଲଳିତ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଆଧାରରେ ଫିରିଙ୍ଗିଆ ଥାନାରେ ଏହି ମାମଲା ରୁଜୁ ହୋଇଛି। ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ ମାମଲାରେ ତତ୍କାଳୀନ ଫିରିଙ୍ଗିଆ ଥାନା ଆଇଆଇସି ତପନ କୁମାର ନାହାକଙ୍କ ନିର୍ଦ୍ଦେଶ କ୍ରମେ ଥାନାର ଦୁଇ ହୋମଗାର୍ଡ଼ ପ୍ରଶାନ୍ତ କୁମାର ପାତ୍ର ଓ ରବୀନ୍ଦ୍ର କୁମାର ନାୟକ ପୋଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା।
ଏହାକୁ ନେଇ ସ୍ଥାନୀୟ ଲୋକେ କ୍ଷୁବ୍ଧ ହେବା ସହ ଥାନା ଅଧିକାରୀ ଓ ତାଙ୍କ ଦୁଇ ସହଯୋଗୀ ହୋମଗାର୍ଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାକୁ ଓହ୍ଲାଇଥିଲେ । ପରେ ଉତ୍ତ୍ୟକ୍ତ ଲୋକ ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦେବାସହ ପୋଲିସ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାରେ ପୋଲିସ ୨୪ ଜଣଙ୍କୁ ଗିରଫ କରିଛି । ପରେ ଆଇଆଇସିଙ୍କୁ ବଦଳି ଓ ନିଲମ୍ବନ ସହ ଦୁଇ ହୋମଗାର୍ଡଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା।
ତେବେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ସହ ସେମାନଙ୍କ ଗିରଫ ଦାବିରେ ଆଜି ଫୁଲବାଣୀରେ ବିରାଟ ଶୋଭାଯାତ୍ରା ସହ ମହାସମାବେଶ କରିବାକୁ ଡାକରା ଦେଇଥିଲା କନ୍ଧମାଳ ମିଳିତ ମଞ୍ଚ। ଏବେ ପୋଲିସ ମାମଲା ରୁଜୁ କରିବା ପରେ ମିଳିତ ମଞ୍ଚ ପ୍ରସ୍ତାବିତ ମହାସମାବେଶକୁ ସ୍ଥଗିତ ରଖିଛି ।