ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବା ଘଟଣା, ପିସିଆଇରେ ମାମଲା ରୁଜୁ
ବାଲେଶ୍ୱର : ବାଲେଶ୍ୱର ନୀଳଗିରି ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କୁ ପୋଲିସର ଅମାନୁଷିକ ନିର୍ଯାତନା ବିରୋଧରେ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ(ପିସିଆଇ)ରେ ମାମଲା ରୁଜୁ ହୋଇଛି । ପ୍ରେସ କାଉନସିଲ ଆକ୍ଟ୍, ୧୯୭୮ର ଧାରା ୧୩ ଅନୁଯାୟୀ ଏହି ମାମଲା ମାମଲା ନମ୍ବର ୮୨/୨୦୨୨ରେ ପଞ୍ଜୀକୃତ ହୋଇଥିବା ଜଣାଯାଇଛି । ଗଣମାଧ୍ୟମ ସଂସ୍ଥା ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ୱାର୍ଥ ନିମନ୍ତେ ସର୍ବଭାରତୀୟ ସ୍ତରରେ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ ଏକ ସ୍ୱୟଂଶାସିତ ସଂସ୍ଥା । ଏହି କ୍ରମରେ ନୀଳଗିରି ଖବରଦାତାଙ୍କ ପ୍ରତି ହୋଇଥିବା ପୋଲିସ ପ୍ରଶାସନର ଅନ୍ୟାୟ ବିରୋଧରେ ପିସିଆଇ ସଦସ୍ୟ ତଥା ବରିଷ୍ଠ ଖବରଦାତା ପ୍ରସନ୍ନ କୁମାର ମହାନ୍ତି ଇ-ମେଲ ଜରିଆରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ପିସିଆଇ ପକ୍ଷରୁ ଏହି ମାମଲାର ଏବେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ନିର୍ଦ୍ଦାରିିତ ସମୟରେ ଅଭିଯୁକ୍ତଙ୍କୁ ହାଜର ହେବାକୁ ସମନ କରାଯିବ ବୋଲି ଶ୍ରୀ ମହାନ୍ତିଙ୍କୁ ସୂଚନା ଦିଆଯାଇଛି ।
ସୂଚନା ଥାଉକି, ଗତ ୬ ତାରିଖରେ ଖବରଦାତା ଶ୍ରୀ ଦଳେଇଙ୍କୁ ନୀଳଗିରି ପୋଲିସ ଥାନାକୁ ଡକାଇ ବେଆଇନ୍ ଭାବେ ଅଟକ ରଖିବା ସହ ନିର୍ଯାତନା ଦେଇଥିଲା । ଥାନା ଭିତରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଇ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଗୋଡ଼ରେ ବେଡ଼ି ବାନ୍ଧି ଦେଇଥିଲା । ଏଥିପାଇଁ ମାଜିଷ୍ଟ୍ରେଟ୍ କିମ୍ବା କୋର୍ଟ, କାହାର ଅନୁମତି ନିଆଯାଇନଥିଲା । ତେଣୁ ଏହା ସମ୍ପୂର୍ଣ୍ଣ ବେଆଇନ ଓ ମାନବ ଅଧିକାରର ଖୋଲା ଉଲ୍ଲଂଘନ । ପୁଲିସର ଏ ପ୍ରକାର ମନମୁଖି ଆଚରଣକୁ ଦେଶବ୍ୟାପୀ ନିନ୍ଦା କରାଯିବା ସହ ରାଜ୍ୟ ମାନବାଧିକାର କମିସନ ନିଜ ଆଡ଼ୁ ମାମଲା ରୁଜୁ କରି ବାଲେଶ୍ୱର ଏସ୍ପିଙ୍କୁ ରିପୋର୍ଟ ତଲବ କରିଥିବା ବେଳେ ଗତ ୧୧ ତାରିଖରେ ଜାତୀୟ ମାନବାଧିକାର କମିସନ୍ ମଧ୍ୟ ଖବରଦାତା ଦଳେଇଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ କରିବାକୁ ବାଲେଶ୍ୱର ଏସ୍ପି ଓ ଓଡ଼ିଶା ମାନବାଧିକାର କମିସନ୍ଙ୍କୁ ନିର୍ଦେଶ ଦେଇଥିଲେ । ଏଥିପାଇଁ ମାଜିଷ୍ଟ୍ରେଟ୍ କିମ୍ବା କୋର୍ଟ, କାହାର ଅନୁମତି ନିଆଯାଇନଥିଲା । ତେଣୁ ଏହା ସମ୍ପୂର୍ଣ୍ଣ ବେଆଇନ ଓ ମାନବ ଅଧିକାରର ଖୋଲା ଉଲ୍ଲଂଘନ । ଆଇନକୁ ହାତକୁ ନେଇଥିବାରୁ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ନାୟକ ତାଙ୍କ ପିଟିସନ୍ରେ ଉଲ୍ଲେଖ କରିଛନ୍ତି । ପ୍ରକାଶଥାଉକି, ନୀଳଗିରି ପୋଲିସର ବର୍ବରତା ସମ୍ପର୍କରେ ପୁରୀର ମାନବାଧିକାର କର୍ମୀ ଜୟନ୍ତ ଦାଶ ପୂର୍ବରୁ ଜାତୀୟ ମାନବାଧିକାର କମିସନରେ ମାମଲା ରୁଜୁ କରିଥିଲେ । ସେହିପରି ରାଜ୍ୟ ମାନବାଧିକାର କମିସନ ମଧ୍ୟ ନିଜ ଆଡୁ ମାମଲା ରୁଜୁ କରି ପୂର୍ବାଞ୍ଚଳ ପୋଲିସ ଆଇଜିଙ୍କୁ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।