ଡେପୁଟେସନ୍ ସରିବା ପରେ ନିରତାର ନିର୍ଦ୍ଦେଶକ ପଦରେ ରହିପାରିବେ ନାହିଁ : ହାଇକୋର୍ଟ
ଭୁବନେଶ୍ୱର : ୫ ବର୍ଷ ଡେପୁଟେସନ ଅବଧି ପୂରିଯିବା ପରେ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ (ନିରତାର)ର ନିର୍ଦ୍ଦେଶକ ପଦରେ ରହିବାର ଅଧିକାର ଡାକ୍ତର ଶକ୍ତି ପ୍ରସାଦ ଦାସଙ୍କର ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ସ୍ପଷ୍ଟ କରିଦେଇଛନ୍ତି । ସେ ଦାଖଲ କରିଥିବା ରିଟ୍ ଆବେଦନକୁ ଖାରଜ କରିଦେଇ ହାଇକୋର୍ଟ ପ୍ରକାଶିତ ବିଜ୍ଞାପନ ଅନୁସାରେ ନିୟମିତ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ତ୍ୱରିତ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସଙ୍ଗେସଙ୍ଗେ ପୂର୍ବରୁ ନିଯୁକ୍ତି ଉପରେ ଜାରି କରିଥିବା ଅନ୍ତରୀଣ ରହିତାଦେଶକୁ ମଧ୍ୟ ଉଠାଇଦେଇଛନ୍ତି ।
ଘଟଣାରୁ ପ୍ରକାଶ ଯେ, ଡାକ୍ତର ଦାସ ୨୦୧୬ ଜାନୁଆରି ୨୮ରେ ନିରତାରର ନିର୍ଦ୍ଦେଶକ ପଦରେ ତିନିବର୍ଷ ପାଇଁ ଡେପୁଟେସନ ଭିତିରେ ଯୋଗଦେଇଥିଲେ । ପରେ କେନ୍ଦ୍ର ସରକାରଙ୍କଦ୍ୱାରା ଡେପୁଟେସନ ଅବଧିକୁ ଆଉ ଦୁଇବର୍ଷ ବଢ଼ାଇଦିଆଯାଇଥିଲା । ମୋଟ ପାଂଚବର୍ଷ ଡେପୁଟେସନ ସମୟ ୨୦୨୧ ଜାନୁଆରି ୨୭ରେ ପୂରିଯାଇଥିବାରୁ କାର୍ଯ୍ୟକାଳ ପୁଣି ଦୁଇବର୍ଷ ବୃଦ୍ଧି କରିବା ପାଇଁ ସେ ଦରଖାସ୍ତ କରିଥିଲେ । ମାତ୍ର ତାହା ନକରି ସରକାର ନିୟମିତ ନିର୍ଦ୍ଦେଶ ନିଯୁକ୍ତି ପର୍ଯ୍ୟନ୍ତ ତାଙ୍କୁ ସାମୟିକ ଭାବେ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସଙ୍ଗେସଙ୍ଗେ ନିୟମିତ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ସର୍ବଭାରତୀୟ ସ୍ତରରେ ବିଜ୍ଞାପନ ଜାରିକରି ଦରଖାସ୍ତ ଆହ୍ୱାନ କରିଥିଲେ । ଆଉ ଦୁଇବର୍ଷ ନିରତାର ନିର୍ଦ୍ଦେଶକ ରହିବା ପାଇଁ ଡାକ୍ତର ଶକ୍ତି ପ୍ରସାଦ ଦାସଙ୍କ ପ୍ରଚେଷ୍ଟା ଉଭୟ କାର୍ଯ୍ୟପାଳିକା ଓ ନ୍ୟାୟପାଳିକାଦ୍ୱାରା ନାକଚ ହେବାପରେ ସେ ବିଦାୟ ନେବା ଆସନ୍ନ ହୋଇପଡ଼ିଛି ।