ବିଧାନସଭା ନିର୍ବାଚନ ଲାଗି ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ପ୍ରଚାର ଜୋରଦାର
ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ଲାଗି ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ପ୍ରଚାର ଜୋରଦାର ହେବାରେ ଲାଗିଛି। ଆଜି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତ୍ରିପୁରାରେ ୩ଟି ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ସହ ରୋଡ଼ ସୋରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଆଇଏମ ନେତା ମାଣିକ ସରକାର, କଂଗ୍ରେସ ନେତା ସୂଦୀପ ରାୟ ବର୍ମନ ଏବଂ ଟିପ୍ରା ମୋଥା ମୁଖ୍ୟ ପ୍ରଦ୍ୟୁତ କିଶୋର ଦେବବର୍ମା ଭୋଟରମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ଲାଗି ପ୍ରଚାର କାର୍ଯ୍ୟରେ ଲାଗି ପଡିଛନ୍ତି। ତ୍ରିପୁରାରେ ଚଳିତ ମାସ ୧୬ରେ ବିଧାନସଭା ନିର୍ବାଚନ ଲାଗି ମତଦାନ ହେବ।
ବିଭିନ୍ନ ଦଳର ତୁଙ୍ଗ ନେତାମାନେ ପ୍ରଚାର କାର୍ଯ୍ୟ କରୁଥିବା ବେଳେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିପୁରାର ଗୋମତୀ ଓ ଢଲାଈ ଜିଲ୍ଲାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ। ମେଘାଳୟ ବିଧାନସଭାର ୬୦ଟି ଆସନ ପାଇଁ ୧୩ଟି ରାଜନୈତିକ ଦଳର ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ମୋଟ ୩୭୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୩୬ ଜଣ ମହିଳା ଥିବା ବେଳେ ବିଜେପି ଓ କଂଗ୍ରେସ ୬୦ଟି ଆସନରୁ, ତୃଣମୂଳ କଂଗ୍ରେସ ୫୬ଟି ଆସନରୁ ଏବଂ ଏନପିପି ୫୭ଟି ଆସନରୁ ନିର୍ବାଚନ ଲଢ଼ୁଛନ୍ତି।
ନାଗାଲାଣ୍ଡ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରମୁଖ ରାଜନୈତିକ ଦଳ ଭାବେ କଂଗ୍ରେସ, ଜନତା ଦଳ, ଏନସିପି, ଏନଡ଼ିପିପି ଓ ନାଗାଲାଣ୍ଡ ପିଉପୁଲସ ଫ୍ରଣ୍ଟ ପ୍ରାର୍ଥୀ ଦେଇଛନ୍ତି। ଚଳିତ ମାସ ୨୭ରେ ହେବାକୁ ଥିବା ମତଦାନରେ ୧୨ଟି ରାଜନୈତିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ମୋଟ ୧୮୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।