କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା: ଆଜିଠୁ ୩ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
ଭୁବନେଶ୍ୱର : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଆଜିଠୁ ଶର୍ମିଷ୍ଠା ଓ ଝୁନାକୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ନିରଞ୍ଜନଙ୍କ ଡାଏରୀରୁ ମିଳିଥିବା ତଥ୍ୟକୁ ନେଇ ଜେରା କରିବ କ୍ରାଇମବ୍ରାଞ୍ଚ । ମେମୋରୀ ଚିପ ରହସ୍ୟ ଖୋଲିବା ପାଇଁ ହୋଇପାରେ ପଲିଗ୍ରାଫି ଟେଷ୍ଟ । ସେପଟେ ହତ୍ୟା ଘଟଣାକୁ ନେଇ ସାମ୍ପାକୁ ଆସୁଛି ରୋଚକ ତଥ୍ୟ । ରିମାଣ୍ଡ ସମୟରେ ମୁହଁ ଖୋଲିଲେ ଅଭିଯୁକ୍ତ । ମାନସକୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦେବା ପାଇଁ କରିଥିଲେ ଚେଷ୍ଟା । ପୋଷ୍ଟମର୍ଟମ ପରେ କିନ୍ତୁ ପିଟିପିଟି ମାରିଥିବା କଥା ସ୍ପଷ୍ଟ ହୋଇଛି । ଯାଞ୍ଚ ବେଳେ ଶର୍ମିଷ୍ଠାଙ୍କ ଘରୁ ମିଳିଥିବା ନିରଞ୍ଜନଙ୍କ ଡାଏରୀକୁ ନେଇ ତଦନ୍ତ କରାଯିବ ।
ରିମାଣ୍ଡର ଶେଷ ଦିନରେ ସଂପୂର୍ଣ୍ଣ ୱେବ ପୋର୍ଟାଲ ଅଫିସକୁ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କୁ ନେଇ ଅଧିକ ତଥ୍ୟ ଆଦାୟ କରିଥିଲା କ୍ରାଇମବ୍ରାଂଚ । ଶର୍ମିଷ୍ଠା ରାଉତଙ୍କ ବେଡରୁମରୁ ନିରଞ୍ଜନ ସେଠୀଙ୍କ ଏକ ବ୍ୟକ୍ତିଗତ ଡାଏରୀ ମିଳିଥିଲା । ଏହି ଡାଏରୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ଅନୁମାନ କରାଯାଉଛି । କ୍ରାଇମବ୍ରାଞ୍ଚ ହାତରେ କିଛି ସୁରାଗ୍ ମିଳିଥିବା କୁହାଯାଉଛି ।
ସୂଚନା ଯେ, , ମାନସ ହତ୍ୟା ଘଟଣାରେ ଗିରଫ ସମସ୍ତ ଅଭିଯୁକ୍ତଙ୍କ ୫ଦିନିଆ ରିମାଣ୍ଡ ଅବଧି ସରିବା ପରେ ରବିବାର ଦିନ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ୪ ଅଭିଯୁକ୍ତ ନିରଞ୍ଜନ, ରଞ୍ଜନ, ଶର୍ମିଷ୍ଟା ଏବଂ ଝୁନାଙ୍କୁ ହାଜର କରାଯାଇଥିଲା । ତଦନ୍ତ ସରିନାହିଁ ବୋଲି ଯୁକ୍ତି ରଖି ୪ଜଣଙ୍କୁ ପୁଣି ୫ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲେ କ୍ରାଇମବ୍ରାଞ୍ଚ ଓକିଲ । ତେବେ ଶର୍ମିଷ୍ଠା ଏବଂ ଝୁନାକୁ ରିମାଣ୍ଡ ନେବା ଲାଗି ଅନୁମତି ମିଳିଥିବା ବେଳେ ରଞ୍ଜନ ଓ ନିରଞ୍ଜନଙ୍କୁ ରିମାଣ୍ଡରେ ନେବା ଲାଗି ଅନୁମତି ମିଳିନି । ଶର୍ମିଷ୍ଠା ଓ ଝୁନାକୁ ୩ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ ।ଏହାସହିତ ଆସନ୍ତା ୭ତାରିଖ ଦିନ ଗୋଟାଏ ସୁଦ୍ଧା ଶର୍ମିଷ୍ଠା ଏବଂ ଝୁନାକୁ ହାଜର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।