କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଆଉ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ କ୍ରାଇମବ୍ରାଞ୍ଚ
କଟକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଉ ୫ ଦିନିଆ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ ଅଦଲତରେ ଆବେଦନ କରିବାକୁ ଯାଉଛି। ୫ ଦିନିଆ ଶେଷ ହୋଇଥିବାରୁ ଅଧିକ ୫ ଦିନିଆ ରିମାଣ୍ଡରେ ଅଭିଯୁକ୍ତଙ୍କୁ ଆଣି ମେମୋରି କାର୍ଡ ଓ ନିରଂଜନ ସେଠୀଙ୍କ ଡାଏରି ସମ୍ପର୍କରେ ଖୋଳତାଡ଼ କରିବାକୁ ଯୋଜନା କରାଯାଉଛି।
ସୂଚନା ଯେ, ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମେତ ୪ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗଲା ୨୯ ତାରିଖରୁ ରିମାଣ୍ଡରେ ଆଣି ପଚରାଉଚରା କରୁଥିଲା। ମାନସ ସ୍ବାଇଁ ହତ୍ୟାକାଣ୍ଡ ସଂପର୍କିତ ଆହୁରି କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ଶନିବାର ଦିନ କ୍ରାଇମବ୍ରାଞ୍ଚ ସଂଗ୍ରହ କରିଛି। ଅଭିଯୁକ୍ତଙ୍କ ରିମାଣ୍ଡ ଅବିଧି ଶନିବାର ଦିନ ଶେଷ ହୋଇଥିବା ବେଳେ ସେମାନଙ୍କୁ ଆଜି କୋର୍ଟରେ ହାଜର କରାଯିବ। ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ରିମାଣ୍ଡରେ ଅଣାଯିବ। ତଥ୍ୟ ଅନୁଯାୟୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ଏକ ବ୍ୟକ୍ତିଗତ ଡାଏରି ଶନିବାର ଦିନ ଶର୍ମିଷ୍ଠା ରାଉତର ବେଡ୍ରୁମରୁ ମିଳିଛି। ଏହି ଡାଏରିରେ ନିରଞ୍ଜନର ବ୍ୟକ୍ତିଗତ ତଥ୍ୟ ରହିଥିବା କୁହାଯାଉଛି।
ଅନ୍ୟପଟେ ନେତା, ମନ୍ତ୍ରୀଙ୍କ ଯେଉଁ ଅଶ୍ଳୀଳ ଭିଡିଓ କ୍ଲିପ୍ ଥିବା ମେମୋରି କାର୍ଡକୁ ନେଇ କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କୁ ହତ୍ୟା କରାଯାଇଥିଲା, ଏହି କାର୍ଡ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ନିକଟରେ ବି ନାହିଁ। ଏହି ମେମୋରି କାର୍ଡ ମାନସ ନିଜ ଘରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ଲୁଚାଇ ରଖିଥିବା ଚାଞ୍ଚଲ୍ୟକର ବୟାନ ଦେଇଛି ଶର୍ମିଷ୍ଠା। ମେମୋରି କାର୍ଡ ନମିଳିଲେ ବହୁ ବଡ଼ବଡ଼ିଆଙ୍କ କଳାକାରନାମା ରହସ୍ୟ ହୋଇ ରହିଯିବାର ଆଶଙ୍କା କରାଯାଉଛି। ମାନସଙ୍କୁ ନିରଞ୍ଜନ ସେଠୀ ନିର୍ଘାତ ମାଡ଼ ମାରିଥିବା ଦୃଶ୍ୟ ଶର୍ମିଷ୍ଠାର ଭାଉଜ, ଝୁନାର ସ୍ବାମୀ ଅରୁଣ ଭୋଇ, ଜଣେ କମ୍ପ୍ୟୁଟର ଅପରେଟର୍ ଦେଖିଛନ୍ତି। ଏମାନଙ୍କର ହତ୍ୟାକାଣ୍ଡ ସହିତ କୌଣସି ସମ୍ପର୍କ ନଥିବାରୁ କ୍ରାଇମବ୍ରାଞ୍ଚ ଏମାନଙ୍କୁ ରାଜସାକ୍ଷୀ କରିବାକୁ ଯୋଜନା କରୁଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।