କ୍ୟାବିନେଟରେ ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତି ୨୦୨୧କୁ ମଞ୍ଜୁରି : ୨୦୨୬ ସୁଦ୍ଧା ଇଲେକ୍ଟ୍ରୋନିକ୍ସ ଶିଳ୍ପରେ ଓଡ଼ିଶା ହେବ ଅଗ୍ରଣୀ ରାଜ୍ୟ
ଭୁବନେଶ୍ୱର : ୨୦୨୬ ସୁଦ୍ଧା ଇଲେକ୍ଟ୍ରୋନିକ୍ସ ଶିଳ୍ପରେ ଓଡ଼ିଶା ହେବ ଏକ ଅଗ୍ରଣୀ ରାଜ୍ୟ । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତି ୨୦୨୧ କୁ ମଞ୍ଜୁରି ମିଳିଛି । ଓଡ଼ିଶା ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ଓଡ଼ିଶା ସରକାର ଅଗ୍ରାଧିକାର ଦେଉଛନ୍ତି । ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡ଼ିଜାଇନ୍ ଓ ମାନୁଫ୍ୟାକ୍ଚରିଙ୍ଗ ଶିଳ୍ପ ( ଇଏସଡ଼ିଏମ) ତ୍ବରାନ୍ବିତ କରିବା ପାଇଁ ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତି ପ୍ରସ୍ତୁତ କରାଯାଇଛି । ନୀତି ଅନୁସାରେ ଶିଳ୍ପ ଉପଯୋଗୀ ବାତାବରଣ, ଉତ୍ତର ଭିତ୍ତିଭୂମୀ, ଆନୁଷଙ୍ଗିକ ସହାୟତା ପ୍ରଦାନ କରାଯିବ ।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସମ୍ପନ୍ନ କମିଟି ଗଠନ କରାଯିବ । କମିଟି ଏହି ପଲିସିର କାର୍ଯ୍ୟାନ୍ଵୟନ ତଦାରଖ କରିବ । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଓକାକ୍ ବିଭିନ୍ନ ପ୍ରକାର ଦୈନନ୍ଦିନ କାର୍ଯ୍ୟର ତଦାରଖ କରିବ । ଏହି ଯୋଜନା ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ କିମ୍ବା ସେହିଭଳି ଅନ୍ୟ ଯୋଜନା ଆସିବା ପର୍ଯ୍ୟନ୍ତ ବଳବତ୍ତର ରହିବ । ପ୍ରଥମ ୧୦ଟି ନୂତନ ପୁଞ୍ଜିନିବେଶ ଏବଂ ସଂପ୍ରସାରଣକୁ “ଉତ୍ପାଦନ ଭିତ୍ତିକ ସହାୟତା ବାବଦରେ ବାର୍ଷିକ କାରବାରର ୧ ପ୍ରତିଶତ ଉତ୍ପାଦନ ଆରମ୍ଭରୁ ୫ ବର୍ଷ ପାଇଁ ଯୋଗାଇ ଦିଆଯିବ । ଇଏସଡ଼ିଏମ ୟୁନିଟ୍ ଗୁଡ଼ିକୁ ସେମାନଙ୍କର ପୁଞ୍ଜିନିବେଶ ଆଧାରରେ ୧୦ କୋଟିରୁ ୨୫୦ କୋଟି ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ୍ ଶୁଳ୍କ ୫ ବର୍ଷ ପର୍ଯ୍ୟନ୍ତ ଛାଡ଼ କରାଯିବ । ଯୋଗ୍ୟ ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ୍ ବିଲ୍ ୩୦% ସର୍ବାଧିକ ୫୦ ଲକ୍ଷ ପର୍ଯ୍ୟନ୍ତ ରିହାତି ମିଳିବ । ଉଦ୍ୟୋଗୀମାନଙ୍କୁ ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ୧୦୦ % ଏବଂ ଦ୍ବିତୀୟଥର ପାଇଁ ୫୦ % ଛାଡ଼ କରାଯିବ । ଚାଷ ଜମିକୁ ଶିଳ୍ପ ଉପଯୋଗୀ ଜମିରେ ପରିବର୍ତ୍ତନ କରିବା ପାଇଁ ହେଉଥିବା ଖର୍ଚ୍ଚର ୧୦୦% ଯୋଗାଇ ଦିଆଯିବ । ମହିଳା, ଅନୁସୂଚୀତ ଜାତି / ଜନଜାତି ଓ ଦିବ୍ୟାଙ୍ଗ ଉଦ୍ୟୋଗୀମାନଙ୍କୁ ୧୦ ପ୍ରତିଶତ ସର୍ବାଧିକ ୧ କୋଟି ପର୍ଯ୍ୟନ୍ତ ଅତିରିକ୍ତ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଯେଉଁମାନେ ଲିଜ୍ରେ କରୁଥିବେ ସେମାନଙ୍କୁ ଅତିରିକ୍ତ ୨୫ % ସର୍ବାଧିକ ୧୦ ଲକ୍ଷ ପର୍ଯ୍ୟନ୍ତ ରିହାତି ୫ ବର୍ଷ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ । ସ୍ଥାନୀୟ ଅଞ୍ଚଳର ଉଦ୍ୟୋଗୀମାନଙ୍କୁ ଅଗ୍ରାଧିକାର ଦେବାର ବ୍ୟବସ୍ଥା ରହିଛି । ଯେଉଁ ଉଦ୍ୟୋଗୀମାନେ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ନିଯୁକ୍ତି ଯୋଗାଇ ଦେବେ ସେମାନଙ୍କୁ ଅତିରିକ୍ତ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ରାଜ୍ୟ ସରକାର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନିଯୁକ୍ତି ନିମନ୍ତେ ଓଡ଼ିଶାର ଲୋକମାନଙ୍କ ନିମନ୍ତେ ସର୍ବନିମ୍ନ ୮ ହଜାରରୁ ୩୦ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ୩ ବର୍ଷ ପାଇଁ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ମହିଳା, ଅନୁସୂଚୀତ ଜାତି / ଜନଜାତି, ଭିନ୍ନକ୍ଷମ କର୍ମଚାରୀ ମାନଙ୍କ ପାଇଁ ଅତିରିକ୍ତ ୨ ହଜାର ପର୍ଯ୍ୟନ୍ତ ସାହାଯ୍ୟ ଯୋଗାଇ ଦେବେ । ଯେଉଁ ଇଲେକ୍ଟ୍ରୋନିକ୍ସ ଶିଳ୍ପଦ୍ୟୋଗୀ ମାନେ ଦୀର୍ଘ ମିଆଦି ସୂତ୍ରରେ ବ୍ୟାଙ୍କ, ଆର୍ଥିକ ସଂସ୍ଥାରୁ ଋଣ କରି ଠିକ୍ ସମୟରେ ପରିଶୋଧ କରୁଥିବେ, ସେମାନଙ୍କ ଋଣ ଉପରେ ବାର୍ଷିକ ୫ ପ୍ରତିଶତ ସୁଧ ରିହାତି ୬ ବର୍ଷ ପର୍ଯ୍ୟନ୍ତ କରାଯିବ । ସଫଳ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ବ୍ୟବସାୟିକ ଉତ୍ପାଦନ ଆରମ୍ଭରୁ ୫ ବର୍ଷ ପର୍ଯ୍ୟନ୍ତ ଶତ ପ୍ରତିଶତ ଏସଜିଏସଟି ଛାଡ଼ କରାଯିବ । ଶିଳ୍ପ ଅନଗ୍ରସର ଅଞ୍ଚଳରେ ସ୍ଥାପକ କରୁଥିବା ପ୍ରଥମ ୫ଟି କମ୍ପାନୀକୁ ପ୍ରଥମ ୩ ବର୍ଷ ପାଇଁ ୧୦୦ % ମ୍ୟୁନିସ୍ପାଲଟି ଟ୍ୟାକ୍ସ ଛାଡ଼ କରାଯିବ ।