୫ଟି ରାଜ୍ୟର ୪୪ଟି ଆକାଂକ୍ଷି ଜିଲ୍ଲାରେ ୪ଜି ମୋବାଇଲ ସେବାକୁ କ୍ୟାବିନେଟ ମଞ୍ଜୁରୀ
ନୂଆଦିଲ୍ଲୀ : ପାଂଚଟି ରାଜ୍ୟରେ ଥିବା ସେବାରୁ ବଂଚିତ ଆକାଂକ୍ଷି ଜିଲ୍ଲାଗୁଡିକରେ ମୋବାଇଲ ସେବା ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଏହି ପାଂଚଟି ରାଜ୍ୟ ହେଲା ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ ଓଡ଼ିଶା ।
ପାଂଚଟି ରାଜ୍ୟର ୪୪ଟି ଆକାଂକ୍ଷି ଜିଲ୍ଲାର ସେବା ବଂଚିତ ୭୨୮୭ଟି ଗ୍ରାମକୁ ଏହି ପ୍ରକଳ୍ପ ଜରିଆରେ ୪ଜି ସେବା ଯୋଗାଇ ଦିଆଯିବ । ଆସନ୍ତା ୫ ବର୍ଷ ନିମନ୍ତେ କାର୍ଯ୍ୟକାରୀତା ଖର୍ଚ୍ଚ ସମେତ ମୋଟ ୬,୪୬୬ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ ହେବ । ସାର୍ବଜନୀନ ସେବା ଆଇନଗତ ବାଧ୍ୟକ ପାଣ୍ଠି (ୟୁଏସଓଏଫ) ଏହି ପ୍ରକଳ୍ପ ଖର୍ଚ୍ଚ ବହନ କରିବ । ରାଜିନାମା ସ୍ୱାକ୍ଷରିତ ହେବାର ୧୮ ମାସ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ସମାପିତ ହେବ । ତେବେ ଏହା ନଭେମ୍ବର ୨୦୨୩ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ହେବା ଆଶା କରାଯାଉଛି । ଚିହ୍ନଟ ହୋଇଥିବା ସେବା ବଂଚିତ ଗ୍ରାମଗୁଡିକୁ ଏହି ୪ଜି ସେବା ସୁବିଧା ୟୁଏସଓଏଫର ମାର୍ଗଦର୍ଶିକା ଅନୁସାରେ ମୁକ୍ତ ପ୍ରତିଯୋଗିତାମୂଳକ ନିଲାମ ଜରିଆରେ ପ୍ରଦାନ କରାଯିବ । ପାଂଚଟି ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ଓଡ଼ିଶାର ଦୁର୍ଗମ ସେବା ବଂଚିତ ଆକାଂକ୍ଷି ଜିଲ୍ଲାଗୁଡିକରେ ଏହି ମୋବାଇଲ ସେବା ପ୍ରଚଳନ ଦ୍ୱାରା ଆତ୍ମନିର୍ଭରଶୀଳତା, ଶିଖିବା ସୁବିଧା, ତଥ୍ୟ ଓ ଜ୍ଞାନର ପ୍ରଚାର, କୌଶଳ ବିକାଶ ଓ ଏହାର ଉନ୍ନୀତକରଣ, ଇ-ସରକାରୀ ପଦକ୍ଷେପ, ଉଦ୍ୟୋଗ ପ୍ରତିଷ୍ଠା, ଇ-କମର୍ସ ଓ କର୍ମସଂସ୍ଥାନ କ୍ଷେତ୍ରରେ ଡିଜିଟାଲ ସଂଯୋଗୀକରଣ ବୃଦ୍ଧି ପାଇବା ସହ ଆତ୍ମନିର୍ଭର ଭାରତ ଗଠନର ଲକ୍ଷ୍ୟ ସାଧିତ ହୋଇପାରିବ ।