ବ୍ୟାସକବି ଫକୀରମୋହନ ଜୟନ୍ତୀ ଉତ୍ସବ ଉଦ୍ଯାପିତ
ବାଲେଶ୍ୱର : ବାଲେଶ୍ୱର ସହର ଶାନ୍ତିକାନନ ଠାରେ ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନ ସେନାପତିଙ୍କର ୧୮୨ତମ ଜୟନ୍ତୀର ଚତୁର୍ଥ ଦିବସରେ ବୁଧବାର ପୂର୍ବାହ୍ନରେ ଆୟୋଜିତ ହୋଇଥିଲା ଉଦ୍ଯାପନୀ ଉତ୍ସବ ।
ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ଅତିଥି ଭାବରେ ବରିଷ୍ଠ ସାହିତ୍ୟ ସାଧକ ଡ. ପ୍ରହ୍ଲାଦ ଚରଣ ମହାନ୍ତି, ବିଶିଷ୍ଟ ଭେଷଜ ବିଶେଷଜ୍ଞ ଓ ସାରସ୍ୱତ ସାଧକ ଡା. ଚୌଧୁରୀ ସତ୍ୟବ୍ରତ ନନ୍ଦ, ରାଜନୀତିଜ୍ଞ ଓ ସମାଜସେବୀ ନବଜ୍ୟୋତି ପଟ୍ଟନାୟକ, ଜିଲା ଶିକ୍ଷାଧିକାରୀ ପ୍ରତିଭା ମଞ୍ଜରୀ ଦାସ ପ୍ରମୁଖ ଯୋଗଦେଇ ଫକୀରମୋହନ ସାହିତ୍ୟ ପରିଷଦର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ଫକୀରମୋହନ ହିଁ ସମାଜର ସବୁସ୍ତରର ବ୍ୟକ୍ତିବିଶେଷଙ୍କ ପ୍ରେରଣାର ଉତ୍ସ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ କଲ୍ୟାଣୀ ନନ୍ଦଙ୍କ ରଚନା ଓ ସ୍ୱର ସଂଯୋଜନାରେ ସ୍ନିଗ୍ଧା ସମାନ୍ତରାୟ, ସୁସ୍ମିତା ପଣ୍ଡା, ସନ୍ତୋଷୀ ପଣ୍ଡା, ଜ୍ୟୋତ୍ସ୍ନା ରାୟ, ସୁବ୍ରତା ମହାନ୍ତି, ତୃପ୍ତିରାଣୀ ପାତ୍ର, ପୁଷ୍ପଲତା ଚକ୍ରବର୍ତ୍ତୀ ଓ ତାନଶ୍ରୀ ପାଣିଗ୍ରାହୀ ସମବେତ ସଙ୍ଗୀତ ଗାନ କରିଥିଲେ ଓ ଗୁରୁ ଲକ୍ଷ୍ମୀଧର ଜେନା ଯନ୍ତ୍ରାଂଶରେ ସହଯୋଗ କରିଥିଲେ । କାର୍ଯ୍ୟନିର୍ବାହୀ ସଦସ୍ୟ ରାଜେଶ ଗିରି ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିବାବେଳେ ସଂପାଦକ ଦୀପକ ବୋଷ ଶେଷକଥା ରଖିଥିଲେ । ବିଶିଷ୍ଟ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ଫକୀରମୋହନଙ୍କ ସଂଗୀତ ଗାନ କରି ଉପସ୍ଥିତ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରାଯାଇଥିଲା । ପରିଷଦ ତରଫରୁ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ତଥା ପରିଷଦର ପାଠାଗାର କାର୍ଯ୍ୟରେ ଅକୁଣ୍ଠ ସହଯୋଗ କରିଥିବା ବରିଷ୍ଠ ସଦସ୍ୟା ଊର୍ମିଳା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରୀଛାତ୍ରମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ସମବେତ ଯନ୍ତ୍ରସଂଗୀତ ବାଦନ ପାଇଁ ଗୁରୁ ନନ୍ଦକିଶୋର ଦାସ, ହରପ୍ରସନ୍ନ ରାଉତ, ଜିତେନ୍ଦ୍ର ସାହୁ, ସଂଗ୍ରାମ କେଶରୀ ଗିରି ଓ ବରଦାକାନ୍ତ ବାରିକଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା ।
ଅପରାହ୍ନରେ ଅତିଥିମାନଙ୍କ ଦ୍ୱାରା ପରିଷଦର ଧ୍ୱଜାବତରଣ କରାଯାଇଥିଲା । ସନ୍ଧ୍ୟାରେ କଣ୍ଠଶିଳ୍ପୀ ଦେବାଶିଷ ମହାନ୍ତି ଅକ୍ଷୟ ସଂଗୀତ ପରିବେଷଣ କରିଥିଲେ ଏବଂ ସାଧନା ଶିକ୍ଷା ପରିଷଦ ପ୍ରାୟୋଜିତ ତଥା ବିଦ୍ୟାଧର ସାହୁଙ୍କ ରଚନା ଓ ଗୋପବନ୍ଧୁ ପୁଷ୍ଟିଙ୍କ ନିର୍ଦ୍ଦେଶନାରେ ନାଟକ ‘ପିତୃପୂଜା’ ମଞ୍ଚସ୍ଥ ହୋଇଥିଲା । ପରିଷଦର କୋଷାଧ୍ୟକ୍ଷ ତପନ ରାୟ ଓ ଯୁଗ୍ମ ସମ୍ପାଦକ ଡ. ସାରଙ୍ଗଧର ତ୍ରିପାଠୀ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।