ସକାଳ ସାଢେ ୮ ସୁଦ୍ଧା ବାଲେଶ୍ଵର ରାଜ୍ୟର ଉତ୍ତପ୍ତ ସହର
ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଜିଠୁ ଆହୁରି ବଢ଼ିଛି ତାତି । ପ୍ରବଳ ଖରା ତାତି ଅନୁଭୂତ ହେଉଛି । ଆଜି ସକାଳ ୮ଟା ୩୦ ମିନିଟ ସୁଦ୍ଧା ବିଭିନ୍ନ ସହରରେ ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ବାଲେଶ୍ଵର ରାଜ୍ୟର ଉତ୍ତପ୍ତ ସହର ହୋଇଛି । ଏଠାରେ ସକାଳ ସାଢେ ୮ଟାରେ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ ଥିଲା । ସେହିପରି ପୁରୀରେ ୩୨.୨, ଭୁବନେଶ୍ବରରେ ୩୧.୬,ଝାରସୁଗୁଡାରେ ୩୧, ଚାନ୍ଦବାଲିରେ ୩୦.୮ ଓ କେନ୍ଦୁଝରରେ ୩୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସୂଚନାଯୋଗ୍ୟ ଯେ, ପାଣିପାଗ ବିଭାଗ ପକ୍ଷରୁ ଆଜି ବାଲେଶ୍ଵର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝରକୁ ପ୍ରଖର ଗ୍ରୀଷ୍ମପ୍ରବାହ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।
ସୂଚନା ଯେ, ଆଜି ୪ଟି ଜିଲା ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ ଏବଂ କେନ୍ଦୁଝରକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ଶୁକ୍ରବାର ପାଇଁ ୮ଟି ଜିଲା ଏବଂ ୧୫ ତାରିଖ ଶନିବାର ପାଇଁ ୯ ଜିଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ।
ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଦିନ ତାପମାତ୍ରା ୪୦ ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ । ଉପକୂଳ ଓଡ଼ିଶାରେ ଖୋର୍ଦ୍ଧା, ପୁରୀ, ନୟାଗଡ, ଜଗତସିଂହପୁର, ଯାଜପୁର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବା ସମ୍ଭାବନା ରହିଛି । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରିଛି ପାଣିପାଗ କେନ୍ଦ୍ର । ଏହି ସମୟରେ ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ମେଘମୁକ୍ତ ଆକାଶ, ପ୍ରଖର ସୂର୍ଯ୍ୟ କିରଣ, ବାୟୁମଣ୍ଡଳରେ ଜଳୀୟବାଷ୍ପ ପରିମାଣ ହ୍ରାସ ଏବଂ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବାହିତ ହେଉଥିବା ଗରମ ଶୁଷ୍କ ପବନ ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଗତକାଲି ଝାରସୁଗୁଡା ବିଶ୍ବର ପଞ୍ଚମ ଉତ୍ତପ୍ତ ସହର ହୋଇଥିଲା ।
ଅନ୍ୟପକ୍ଷରେ ଆସନ୍ତା ୧୬ ତାରିଖରେ ପାଗରେ ପରିବର୍ତ୍ତନ ହେବା ସହ ରାଜ୍ୟର କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରରୁ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହିତ ହେବ ।ଏହାର ପ୍ରଭାବରେ ଉତ୍ତର ଉପକୂଳ ସହ ଖୋର୍ଦ୍ଧା,ନୟାଗଡା, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।