ବସ-ଟ୍ରକ ମୁହାଁମୁହିଁ ଧକ୍କା : ୧୬ ମୃତ, ୧୫ ଗୁରୁତର
ରାଞ୍ଚି : ଝାଡଖଣ୍ଡ ସାହିବଗଞ୍ଜ ଗୋବିନ୍ଦପୁର ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୧୬ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ସଙ୍କଟାପନ୍ନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି । ଏହି ଦୁର୍ଘଟଣା କମରଡିହା ଗ୍ରାମ ନିକଟରେ ଘଟିଛି ।
ସୂଚନା ଯେ, ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ବରହରୱା ଠାରୁ ଦୁମ୍କା ଯାଉଥିବାବେଳେ ବସଟି ବିପରୀତ ଦିଗରୁ ଆସୁଥିବା ସିଲିଣ୍ଡର ବୋଝେଇ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲ । ତେବେ ଘନ କୁହୁଡ଼ି କାରଣରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଅନ୍ୟପଟେ ସୂଚନା ପାଇବା ମାତ୍ରେ ଅମଡାପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଆରମ୍ଭ କରିଥିଲା । ଆହତଙ୍କୁ ନକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ଗୁରୁତରଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି । ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦୁଃଖ ପ୍ରକାଶ କରିଛନ୍ତି । ମୃତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇବା ସହ ଅହତଙ୍କ ଆଶୁ ଆରୋଗ୍ୟ କାମନା କିରି ସେ ଟ୍ବିଟ କରିଛନ୍ତି । ଚିକିତ୍ସାଧୀନ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସୋରେନ ।