ବସ-ଗ୍ୟାସ ସିଲିଣ୍ଡର ଭର୍ତ୍ତି ଟ୍ୟାଙ୍କର ମୁହାଁମୁହିଁ : ଡ୍ରାଇଭର ମୃତ, ୨୦ ଆହତ

ନୟାଗଡ଼: ନୟାଗଡ଼ ଜିଲା ଦଶପଲ୍ଲା ଥାନା ଟାକରା ଘାଟିରେ ଏକ ବସ ସହ ଗ୍ୟାସ ସିଲିଣ୍ଡର ଭର୍ତ୍ତି ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି। କଣ୍ଟାମାଳରୁ ଜଟଣୀ ଆସୁଥିବା ବେଳେ ଓଡ଼ିଶା ପରିବହନ(ଓଏସଆରଟିସି)ର ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଟ୍ୟାଙ୍କର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନା ଯେ, ଶନିବାର ଦିନ ପ୍ରାୟ ୧୨ଟା ସମୟରେ ଓଏସଆରଟିସି ବସ୍ ୬୦ଜଣ ଯାତ୍ରୀଙ୍କୁ ନେଇ କଣ୍ଟାମାଳରୁ ଜଟଣୀ ଅଭିମୁଖେ ଆସୁଥିଲା। ଟାକରା ଘାଟିରେ ନିକଟରେ ବିପରୀତ ଦିଗ ଆଡ଼ୁ ଆସୁଥିବା ଗ୍ୟାସ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଟ୍ୟାଙ୍କର ଡ୍ରାଇଭରର ମୃତ୍ୟୁ ଘଟିଥିବା ବେଳେ ବସ୍ ଡ୍ରାଇଭର ଗାଡ଼ି ଚକା ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ରହିଛି। ବସ୍ ଡ୍ରାଇଭର ସମେତ ଅନ୍ୟ ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।