ଘୋଡାଶାଳ ଘାଟିରେ ପାହାଡ଼ରେ ପିଟିହେଲା ବସ, ୯ ଯାତ୍ରୀ ଆହତ
ଗଜପତି: ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ ତାଣ୍ଡିଗୁଡା ଗ୍ରାମରୁ ପୁଡାମାରୀ ଫେରୁଥିବା ଏକ ଘରୋଇ ବସ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ନାୟକ ଏଣ୍ଡ ନାୟକ ନାମକ ଏହି ବସଟି ଘୋଡାଶାଳ ଘାଟି ଚଢୁଥିବା ସମୟରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା। ଫଳରେ ଗାଡିଟି ଅଚାନକ ପଛକୁ ପଛକୁ ଗଡ଼ିବା ଆରମ୍ଭ କରିଥିଲା। ଏହି ସମୟରେ ଗାଡ଼ିଟି ସୌଭାଗ୍ୟବଶତଃ ପାହାଡ ପଟକୁ ପଛ ହେବାରୁ ଗାଡିଟି ତଳକୁ ଖସି ନଥିଲା। ସେପଟେ କିଛି ଯାତ୍ରୀ ଉପସ୍ଥିତ ବୁଦ୍ଧି ଖଟାଇ ଗାଡିରୁ ଡେଇଁ ପଡିଥିଲେ। ତେବେ ଏହି ସମୟରେ ଗାଡି ଭିତରେ ପେଲା ଠେଲାରେ ୯ଜଣ ଯାତ୍ରୀ ଆହତ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ଗାଡ଼ି ମଧ୍ୟରେ ଥିବା ସୁନା ମଣ୍ଡଳ ନାମକ ଜଣେ ଯାତ୍ରୀଙ୍କର ବାମ ଜଙ୍ଘ ଭାଙ୍ଗିଥିବାବେଳେ ପ୍ରମିଳା ଶବର ନାମକ ଜଣେ ମହିଳାଙ୍କ ଡାହାଣ ଜଙ୍ଘ ଭାଙ୍ଗିଛି। ଊଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ପଠାଯାଇଛି। ଅନ୍ୟ ଆହତ ମାନେ ହେଲେ ଝୁନୁ ଗମାଙ୍ଗ ଯୁନେକି ରଇତ,ଅନିତା ଶବର,ସଞ୍ଜିତା ଶବର, ଜିବନୀ ଶବର, ବିପ୍ର ଜାନି ଓ ଊର୍ମିଳା ରାଇକା । ସମସ୍ତେ ଗଂଜାମ ଜିଲ୍ଲା ପୁଡାମାରି ଅଞ୍ଚଳର ବୋଲି ଜଣାପଡିଛି। ଆହତ ସମସ୍ତ ଯାତ୍ରୀ ମାନେ ଆର,ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଘଟଣା ସ୍ଥଳରେ ଆର,ଉଦୟଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।