ବଜେଟ୍-୨୦୨୨: ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୮୬,୨୦୦.୬୫ କୋଟି ବ୍ୟୟ ବରାଦ
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବଜେଟ୍ ଉପସ୍ଥାପନା କରିଛନ୍ତି। ସାଧାରଣ ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଟେକ୍ନୋଲଜିକୁ ପ୍ରମୁଖ ସ୍ଥାନ ଦିଆଯାଇଛି । କେନ୍ଦ୍ରୀୟ ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୮୬,୨୦୦.୬୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଥଛି । ଏହା ଆର୍ଥିକ ବର୍ଷ ୨୦୨୧-୨୨ରେ ଆବଣ୍ଟିତ ୭୩,୯୩୧ କୋଟି ଟଙ୍କାଠାରୁ ୧୬ ପ୍ରତିଶତ ଅଧିକ ।
ଏହି ୮୬,୨୦୦.୬୫ କୋଟି ଟଙ୍କାର ଆବଣ୍ଟିତ ରାଶିରୁ ୮୩ ହଜାର କୋଟି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗକୁ ଦିଆଯିବ। ୩,୨୦୦ କୋଟି ସ୍ୱାସ୍ଥ୍ୟ ଗବେଷଣା ବିଭାଗକୁ ଦିଆଯିବ। କରୋନା ଯୋଗୁଁ ଲୋକଙ୍କ ମାନିସକ ସ୍ୱାସ୍ଥ୍ୟବସ୍ଥା ଉପରେ ପଡୁଥିବା ପ୍ରଭାବକୁ ସ୍ୱୀକାର କରି କେନ୍ଦ୍ର ସରକାର ଏକ ଜାତୀୟ ଟେଲି ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଏଥିରେ ୨୩ଟି ଉକୃଷ୍ଟ ମାନିସକ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ନେଟୱାର୍କ ସାମିଲ ହେବ । ଏହାସହ ଅର୍ଥ ମନ୍ତ୍ରୀ କହିଛନ୍ତି, ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ଇକୋ-ସିଷ୍ଟମ ପାଇଁ ଏକ ମୁକ୍ତ ପ୍ଲାଟଫର୍ମର ଶୁଭାରମ୍ଭ କରାଯିବ। ଏଥିରେ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ, ସ୍ୱାସ୍ଥ୍ୟ ସୁବିଧାର ଡିଜିଟାଲ ପଞ୍ଜିକରଣ, ଅନନ୍ୟ ସ୍ୱାସ୍ଥ୍ୟ ପରିଚୟ ଏବଂ ସ୍ୱାସ୍ଥ୍ୟ ସୁବିଧା ପାଇଁ ସର୍ବଭାରତୀୟ ସୁବିଧା ଉପଲବ୍ଧ ହେବ ।