ବୁଦ୍ଧ ପୂର୍ଣ୍ଣିମା : ଜାଣନ୍ତୁ ଏହି ଦିବସର ତାତ୍ପର୍ଯ୍ୟ
ବୈଶାଖ ମାସର ପୂର୍ଣ୍ଣମୀ ତିଥିରେ ବୁଦ୍ଧ ଜୟନ୍ତୀ ପାଳିତ ହୁଏ। ତେଣୁ ଏହି ପୂର୍ଣ୍ଣିମାକୁ ବୌଦ୍ଧ ବା ବୁଦ୍ଧ ପୂର୍ଣ୍ଣିମା କୁହାଯାଏ। ବୌଦ୍ଧ ଧର୍ମରେ ପର୍ବପର୍ବାଣି ଓ ଆଡମ୍ବର କମ୍ ଥିଲେ ହେଁ ଉପାସନା, ଆରାଧନା, ଧ୍ୟାନ ଓ ସାଧନା ଆଦି ଆଚରଣବିଧି ପାଇଁ ବର୍ଷର ବାରଟିଯାକ ପୂର୍ଣ୍ଣିମା ତିଥି ଅତ୍ୟନ୍ତ ପୁଣ୍ୟ ଦିବସ। ବୌଦ୍ଧ ଧର୍ମାବଲମ୍ବୀମାନେ ପ୍ରତ୍ୟେକ ପୂର୍ଣ୍ଣିମା ତିଥିରେ ପ୍ରାର୍ଥନା ଓ ଧ୍ୟାନ ବ୍ୟତୀତ ସ୍ୱତନ୍ତ୍ର ଉପାସନା ପର୍ଯ୍ୟନ୍ତ ଉପବାସ ରହିଥାନ୍ତି।
ବୁଦ୍ଧ ଜୟନ୍ତୀ ଦିବସର ତାତ୍ପର୍ଯ୍ୟ ହେଲା ସେହି ଦିନ ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ ଏବଂ ବୁଦ୍ଧତ୍ୱ ପ୍ରାପ୍ତ ଓ ନିର୍ବାଣ(ମୋକ୍ଷ) ପ୍ରାପ୍ତ ହୋଇଥିଲେ। ଗୌତମ ବୁଦ୍ଧଙ୍କ ଶୀଳ, ସମାଧି, ପ୍ରଜ୍ଞା ଏବଂ ସତ୍ୟ, ଅହିଂସା ଓ କରୁଣାର ବାଣୀ ରାଷ୍ଟ୍ର, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛି। ବୌଦ୍ଧଧର୍ମର ସିଦ୍ଧାନ୍ତ ଓଡ଼ିଶାର ଧର୍ମ, ସଂସ୍କୃତି, ସାହିତ୍ୟ ଓ ଆଚାରବ୍ୟବହାର କ୍ଷେତ୍ରରେ ପ୍ରୟୋଗ ହୋଇ ଆସିଛି। ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରେ ବୁଦ୍ଧଦେବ ମଧ୍ୟ ଏକ ଅବତାର ରୂପେ ସ୍ଥାନ ପାଇଛନ୍ତି।
ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବୌଦ୍ଧ ଧର୍ମାବଲମ୍ବୀମାନେ ବୁଦ୍ଧ ପୂର୍ଣ୍ଣିମାରେ ଧଉଳିଗିରି ଓ ଭୁବନେଶ୍ୱରର ବୌଦ୍ଧ ବିହାରଠାରେ ବୁଦ୍ଧ ଜୟନ୍ତୀ ପାଳନ ପାଇଁ ଏକତ୍ରିତ ହୁଅନ୍ତି । ବୌଦ୍ଧ ଧର୍ମର ନିର୍ବାଣ ବା ମୋକ୍ଷରେ ଚିର ଶାନ୍ତି ଓ ପରମ ଆନନ୍ଦ ପାଏ ଜଣେ ସାଧକ । ନିରବତା ଓ ନିସ୍ତବ୍ଧତା ଧ୍ୟାନ ପାଇଁ ଏକାନ୍ତ ଆବଶ୍ୟକ ଯାହାକି ବୌଦ୍ଧ ସାଧନାର ମୂଳଭିତ୍ତି। ବୁଦ୍ଧ ଜୟନ୍ତୀ ପଡୁଥିବା ଏହି ବୈଶାଖ ପୂର୍ଣ୍ଣିମାକୁ ମଧ୍ୟ ଚନ୍ଦନ ପୂର୍ଣ୍ଣିମା କହନ୍ତି ।ଏହି ଦିନ ମଧ୍ୟ ସନ୍ଥ ଭୀମଭୋଇ ଜୟନ୍ତୀ ପାଳନ କରାଯାଏ।