ଉତ୍ତରପ୍ରଦେଶ ନିର୍ବାଚନରେ ବିଏସପିର ସବୁଠୁ ଖରାପ ପ୍ରଦର୍ଶନ, ମାତ୍ର ଗୋଟିଏ ଆସନରେ ସୀମିତ
ନୂଆଦିଲ୍ଲୀ : ତିନି ଦଶନ୍ଧି ଧରି ଉତ୍ତରପ୍ରଦେଶ ରାଜନୀତିରେ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିବା ପରେ ମାୟାବତୀଙ୍କ ନେତୃତ୍ୱାଧୀନ ବହୁଜନ ସମାଜ ପାର୍ଟି (ବିଏସପି) ଏଥର ବିଧାନସଭା ନିର୍ବାଚନରେ ସବୁଠାରୁ ଖରାପ ପ୍ରଦର୍ଶନ କରିଛି। ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଦଳ ୧୯ଟି ସିଟ୍ ଜିତିଥିଲା ଏବଂ ୨୧ ପ୍ରତିଶତରୁ ଅଧିକ ଭୋଟ୍ ପାଇବାରେ ସଫଳ ହୋଇଥିଲା। କିନ୍ତୁ ଏଥର ବିଏସପି ୧୨.୭୯ ପ୍ରତିଶତ ଭୋଟ୍ ସହିତ ମାତ୍ର ଗୋଟିଏ ଆସନରେ ହିଁ ସୀମିତ ରହିଛି । ବିଏସପି କେବଳ ଗୋଟିଏ ସିଟ୍ ପାଇଛି। ବାଲିଆ ଜିଲ୍ଲାର ରସ୍ରା ବିଧାନସଭା ନିର୍ବାଚନମଣ୍ଡଳୀରୁ ଦଳର ପ୍ରାର୍ଥୀ ଉମାଶଙ୍କର ସିଂ ଜିତିଛନ୍ତି। ବିଏସପି ୨୦୦୭ରେ ଯେତେବେଳେ ଉତ୍ତର ପ୍ରଦେଶରେ ସରକାର ଗଢ଼ିଥିଲା, ସେତେବେଳେ ଦଳ ୨୦୬ଟି ଆସନ ଏବଂ ୩୦.୪୩ ପ୍ରତିଶତ ଭୋଟ୍ ପାଇଥିଲା |
ମାୟାବତୀଙ୍କ ଦଳର ଏଭଳି ଶୋଚନୀୟ ପ୍ରଦର୍ଶନ ପାଇଁ ବିଭିନ୍ନ କାରଣ ରହିଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହିଛନ୍ତି । ସେମାନଙ୍କ ମତରେ ମାୟାବତୀ ତାଙ୍କର ମୂଳ ଭୋଟ୍ ଆଧାରକୁ ସମାଜବାଦୀ ପାର୍ଟି (ଏସପି) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ଆଡ଼କୁ ଯିବାରେ ରୋକିବାକୁ ବିଫଳ ହୋଇଥିଲେ। ବିଏସପିର ପାରମ୍ପରିକ ଭୋଟ ବ୍ୟାଙ୍କର ଏକ ବଡ଼ ଭାଗ ବିଜେପିକୁ ଯାଇଥିଲା । କାରଣ ସେମାନେ ଅନୁଭବ କରିଥିଲେ ଯେ ଶାସକ ଦଳର ବିଭିନ୍ନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ସେମାନେ ଉପକୃତ ହୋଇଛନ୍ତି।
ଏହାଛଡ଼ା କିଛି ବିଏସପି ସମର୍ଥକ ଅନୁଭବ କରିଥିଲେ ଯେ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ହିଁ ମୁଖ୍ୟ ବିରୋଧୀ ଦଳ । ପର୍ଯ୍ୟବେକ୍ଷକମାନେ ଦାବି କରିଛନ୍ତି ଯେ ଦଳ ମଧ୍ୟ ବିଜେପି ନିକଟରେ ଆତ୍ମସମର୍ପଣ କରିଥିବା ଆଲୋଚନାକୁ ରୋକିବାରେ ବିଫଳ ହୋଇଥିଲା। ବିଏସପିର କିଛି ସହ ପ୍ରତିଷ୍ଠାତା ଇନ୍ଦରଜିତ ସରୋଜ, ଲାଲଜୀ ବର୍ମା, ରାମ ଅଖାଲ ରାଜଭର ଏବଂ ତ୍ରିଭୁବନ ଦତ୍ତଙ୍କ ଭଳି ଅନେକ ନେତା ମଧ୍ୟ ଦଳ ଛାଡି ଏସପି ଆଡକୁ ମୁହାଁଇଥିଲେ। ବିଏସପିରୁ ସେମାନଙ୍କର ପ୍ରସ୍ଥାନ ଦଳର ମୂଳ ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଥିଲା, ଯେଉଁମାନେ ବିଜେପି ଏବଂ ଏସପି ସମେତ ରାଜ୍ୟରେ ଅନ୍ୟ ବିକଳ୍ପ ଖୋଜିଥିଲେ। କିନ୍ତୁ କିଛି ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି ଯେ ବିଜେପି ଯଥାକ୍ରମେ ଏସପି ଏବଂ ବିଏସପିର “ଅଣ-ଯାଦବ ଓବିସି” ଏବଂ “ଅଣ-ଜାଟ ଦଳିତ” ଭୋଟ୍ ହାତେଇବାରେ ସକ୍ଷମ ହୋଇଛି। ୨୦୧୯ ଲୋକସଭା ନିର୍ବାଚନରେ ଏସପି ସହ ବିଏସପି ମେଣ୍ଟ କରିଥିଲା ଏବଂ ଏସପି ଅପେକ୍ଷା ଭଲ ପ୍ରଦର୍ଶନ କରିଥିଲା। ଲୋକସଭାରେ ବିଏସପି ୧୦ଟି ସିଟ୍ ଜିତିଥିବାବେଳେ ଏସପି ମାତ୍ର ପାଞ୍ଚଟି ସିଟ୍ ଜିତିବାରେ ସକ୍ଷମ ହୋଇଥିଲା।
ପର୍ଯ୍ୟବେକ୍ଷକମାନେ କହିଛନ୍ତି ଯେ ବୋଧହୁଏ ମାୟାବତୀ ଏସପି ସହ ମେଣ୍ଟ ଭାଙ୍ଗିବା ପାଇଁ ତରବରିଆ ପଦକ୍ଷେପ ନେଇଥିଲେ। ସେମାନେ କହିଛନ୍ତି ଯେ ବିଏସପିର ତୃଣମୂଳସ୍ତରର କର୍ମୀମାନେ ବିଜେପିର ମୁକାବିଲା ପାଇଁ ଏହି ମେଣ୍ଟ ଜାରି ରଖିବା ସପକ୍ଷରେ ଥିଲେ। ୨୦୦୭ ବିଧାନସଭା ନିର୍ବାଚନରେ ବିଏସପିର ବର୍ତ୍ତମାନର ପ୍ରଦର୍ଶନ ଏହାର ସମ୍ପୂର୍ଣ୍ଣ ବିପରୀତ ଥିଲା । ସେତେବେଳେ ବିଏସପିର ଏକ ବଡ଼ ଦଳିତ ଭୋଟ୍ ବ୍ୟାଙ୍କ୍ ଥିବା ସତ୍ତ୍ବେ ଦଳ ପ୍ରତି ବ୍ରାହ୍ମଣମାନଙ୍କୁ ଆକର୍ଷିତ କରିବା ପାଇଁ ମାୟାବତୀଙ୍କ ସୋସିଆଲ ଇଞ୍ଜିନିୟରିଂ ଫର୍ମୁଲା ଚର୍ଚ୍ଚାର ବିଷୟ ପାଲଟିଥିଲା ।