ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କଲା ବିଏସପି, ଘୋଷଣା କଲେ ମାୟାବତୀ
ନୂଆଦିଲ୍ଲୀ : ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ହେବା ପୂର୍ବରୁ ଉତ୍ତର ପ୍ରଦେଶରେ ପୁଣି ଥରେ ରାଜନୈତିକ ପାରା ବଢ଼ିବାରେ ଲାଗିଛି । ବର୍ତ୍ତମାନ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ବୁଧବାର ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ମାୟାବତୀ ରାଷ୍ଟ୍ରପତି ନିର୍ବାଚନ ସମୟରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥିଲେ । ଏହା ପରେ ବର୍ତ୍ତମାନ ସେ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖରଙ୍କ ସପକ୍ଷରେ ସମର୍ଥନ ଘୋଷଣା କରିଛନ୍ତି ।
ଏହାସହ ବୁଧବାର ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଏସପି ମୁଖ୍ୟ ମାୟାବତୀ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, “ଏହା ଜଣା ଯେ ଦେଶର ସର୍ବୋଚ୍ଚ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ସହମତି ନ ହେବା କାରଣରୁ ପୁନର୍ବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ଠିକ୍ ସେହି ସ୍ଥିତି ହେବା କାରଣରୁ ଉପରାଷ୍ଟ୍ରପତି ପଦ ପାଇଁ ଅଗଷ୍ଟ ୬ରେ ନିର୍ବାଚନ ହେବାକୁ ଯାଉଛି ।”
ମାୟାବତୀ ତାଙ୍କ ପରବର୍ତ୍ତୀ ଟ୍ୱିଟରେ ଲେଖିଛନ୍ତି ଯେ, “ବିଏସପି ଏପରି ସ୍ଥିତିରେ ଉପରାଷ୍ଟ୍ରପତି ପଦ ପାଇଁ ହେଉଥିବା ନିର୍ବାଚନରେ ବ୍ୟାପକ ଜନହିତ ଓ ନିଜର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଜଗଦୀପ ଧନଖରଙ୍କୁ ସମର୍ଥନ ଜଣାଇବାକୁ ନିଷ୍ପତ୍ତି ନେଇଛି । ଯାହା ମୁଁ ଆଜି ଆନୁଷ୍ଠାନିକ ଭାବେ ଘୋଷଣା କରୁଛି ।” ଏହାପୂର୍ବରୁ ଆନ୍ଧ୍ର ପ୍ରଦେଶ ସିଏମ ଜଗନ୍ ମୋହନ ରେଡ୍ଡୀ ଓ ଓଡ଼ିଶା ସିଏମ ନବୀନ ପଟ୍ଟନାୟକ ମଧ୍ୟ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଥିଲେ ।
ସୂଚନାଯୋଗ୍ୟ, ଜଗଦୀପ ଧନଖରଙ୍କୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ତରଫରୁ ପ୍ରାର୍ଥୀ କରାଯାଇଛି । ଜଗଦୀପ ଧନଖର ପଶ୍ଚିମବଙ୍ଗ ରାଜ୍ୟପାଳ ଥିଲେ । ଅନ୍ୟପକ୍ଷରେ, ମାର୍ଗେଟ୍ ଅଲଭା ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଭାବରେ ମନୋନୀତ ହୋଇଛନ୍ତି । ତେବେ ଏନଡିଏ ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ ବୋଲି ମନେ କରାଯାଉଛି ।