ଭାଙ୍ଗିଲା ପରମ୍ପରା! ଘୁଞ୍ଚିଲା ଗୋସାଣୀ ଯାତ

ପୁରୀ : ଭାଙ୍ଗିଲା ପରମ୍ପରା । ଲଘୁଚାପଜନିତ ଲଗାଣ ବର୍ଷା କାରଣରୁ ଗୋସାଣୀ ଯାତ୍ରାକୁ ଘୁଞ୍ଚାଇ ଦିଆଯାଇଛି। ଗୋସାଣୀ ପାଇଁ ଶୁକ୍ରବାର ସନ୍ଧ୍ୟାରେ ସମସ୍ତ ଦୁର୍ଗାମେଢ଼ ଶ୍ରୀମନ୍ଦିର ସିଂହଦ୍ବାରରେ ଏକାଠି ହେବେ ବୋଲି ନିଷ୍ପତ୍ତି ନିଆଯାଇଛି। ଏ ନେଇ ସିଂହଦ୍ବାରକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ଦୁର୍ଗାମେଢ଼ ରହିବା ପାଇଁ ଖୋଲା ସ୍ଥାନ ତିଆରି କରାଯାଇଛି।
ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ଯେହେତୁ ବର୍ଷା ଲାଗି ରହିଥିଲା, ସେ ଦୃଷ୍ଟିରୁ ସବୁ ସାହିରୁ ଶ୍ରୀମନ୍ଦିର ସିଂହଦ୍ବାରକୁ ଦୁର୍ଗାମେଢ଼ ଆସିବା ସମ୍ଭବ ନ ଥିଲା। ବାରବାଟୀ ଜାଗା ଭଳି ବଡ଼ବଡ଼ ଦୁର୍ଗାମେଢ଼ ବର୍ଷାରେ ଆଣିବା କଷ୍ଟକର ଥିଲା। ସବୁ ସାହି କମିଟିଙ୍କ ଅନୁରୋଧକ୍ରମେ ଆଜିର ଗୋସାଣୀ ଯାତ୍ରାକୁ ଶୁକ୍ରବାରକୁ ଘୁଞ୍ଚାଇଯାଇଛି। ଶୁକ୍ରବାର ସିଂହଦ୍ବାରରେ ସମସ୍ତ ମେଢ଼ ଏକାଠି ହେବାପରେ ଶୋଭାଯାତ୍ରା ସହକାରେ ବିସର୍ଜନ କରିବାକୁ ଯିବେ।
ଅନ୍ୟପଟେ ଅନେକ ଏହାକୁ ପରମ୍ପରା ଭଙ୍ଗ ବୋଲି ଅଭିଯୋଗ କରିଛନ୍ତି। ମୁକ୍ତିମଣ୍ଡପ ପଣ୍ଡିତସଭାର ବରିଷ୍ଠ ପଣ୍ଡିତ ତଥା ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ମୁଖ୍ୟ ଉପଦେଷ୍ଟା ଦୁର୍ଗାପ୍ରସାଦ ମହପାତ୍ର କହିଛନ୍ତି, ଗୋସାଣୀ ଯାତ୍ରା ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା। ସିଂହଦ୍ବାରରେ ସମସ୍ତ ମେଢ଼ ଏକାଠି ହେବା ଏବଂ ଏକାଠି ବିସର୍ଜନ ପାଇଁ ଯିବା ଏକ ନିଆରା ପରିବେଶ ତିଆରି କରେ। ପୀଠ ଠାକୁରାଣୀଙ୍କ କେବେ ବି ପରମ୍ପରା ଭଙ୍ଗ ହୋଇନି। କାକୁଡ଼ିଖାଇଙ୍କ ଦୁର୍ଗାମେଢ଼ ବିସର୍ଜନ ପରଦିନ ଅନ୍ୟ ମେଢ଼ ବିସର୍ଜନ ହେବାର ବିଧି ରହିଛି। ଗତକାଲି କାକୁଡ଼ିଖାଇଙ୍କ ଦୁର୍ଗାମେଢ଼ ବିସର୍ଜନ ସରିଛି। ଏଣୁ ଆଜି ହିଁ ଗୋସାଣୀ ଯାତ୍ରା ହେବାର ବିଧି ଥିଲା। ଧର୍ମକୁ ଆଧାର କରି ସବୁ ଚାଲିଛି। କିନ୍ତୁ, ଏଠି ଧର୍ମ ଗୋଟେପଟେ ଓ ପ୍ରଶାସନ ଗୋଟେପଟେ ଚାଲିଛି। ଧର୍ମ ଓ ପ୍ରଶାସନ ଭିତରେ ବିଭେଦ ପାଇଁ ଆଜି ଏହି ପରମ୍ପରା ଭଙ୍ଗ ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।