ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ଜନସନ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା
ନୂଆଦିଲ୍ଲୀ : ଦୁଇଦିନିଆ ଭାରତ ଗସ୍ତରେ ଅଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦ୍ବିତୀୟ ଦିନରେ ତାଙ୍କୁ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ବାଗତ କରାଯିବ। ସେହିପରି ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଦୁଇ ନେତାଙ୍କ ମଧ୍ୟରେ ବିଶେଷ ଭାବରେ ରୁଷ-ୟୁକ୍ରେନ ସ୍ଥିତି, ଟ୍ରେଡ ଓ ପ୍ରତିରକ୍ଷା ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ। ମିଲିଟାରୀ ହାର୍ଡୱେୟାର ନିର୍ମାଣ କ୍ଷେତ୍ରରେ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏହାସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ମଧ୍ୟ ଭେଟିବେ ଜନସନ୍ । ଭାରତ ସହ ୧ ବିଲିୟନ୍ ଡଲାର ଡିଲ୍ ହେବାର ସୂଚନା ମିଳିଛି ।
ସୂଚନା ଯେ, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗୁରୁବାର ଭାରତରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗୁଜୁରାଟ ଅହମ୍ମଦାବାଦ ବିମାନ ବନ୍ଦର ଠାରୁ ହୋଟେଲ ପର୍ଯ୍ୟନ୍ତ ରୋଡ ସୋ କରାଯାଇଥିଲା। ସେଠାରୁ ସେ ମହାତ୍ମାଗାନ୍ଧିଙ୍କ ସାବରମତୀ ଆଶ୍ରମରେ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସାବରମତୀ ଆଶ୍ରମରେ ଅରଟ ବଲାଇ ସୁତା କାଟିଥିଲେ । ବୋରିସ ଜନସନ୍ ଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଉପସ୍ଥିତ ଥିଲେ। ଏହାସହ ଅହମ୍ମଦାବାଦରେ ନିବେଶକଙ୍କ ସହିତ ବୈଠକ କରିଛନ୍ତି ବୋରିସ୍ ଜନସନ । ଗାନ୍ଧିନଗର ସ୍ଥିତ ଗୁଜୁରାଟ ବାୟୋଟେକ୍ନୋଲୋଜି ୟୁନିଭରସିଟିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଜନସନ ।
ସେହିପରି ଦେଶ ସ୍ବାଧୀନ ହେବାଦିନଠାରୁ ଗୁଜରାଟ ଗସ୍ତ କରିବାରେ ଜନସନ୍ ହେଉଛନ୍ତି ପ୍ରଥମ ବ୍ରିଟେନ ପ୍ରଧାନମନ୍ତ୍ରୀ। ଭାରତରେ ପହଞ୍ଚିବା ମାତ୍ରେ ଜନସନ ଟ୍ବିଟ୍ କରି କହିଛନ୍ତି ବିଶ୍ବର ସର୍ବବୃହତ୍ ଗଣତନ୍ତ୍ର ଭାରତରେ ମୋତେ ଖୁବ୍ ସୁନ୍ଦର ଲାଗୁଛି। ଦୁଇ ମହାନ ଦେଶ ମିଶି ଅନେକ କିଛି ହାସଲ କରିବାର ସମ୍ଭାବନା ସେ ଏଠାରେ ଦେଖୁଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ସେ ଭାରତ ସହିତ ଆଉ ଏକ ବାଣିଜ୍ୟ ରାଜିନାମା ଶେଷ କରିବା ଲାଗି ଆଶାବାଦୀ ଅଛନ୍ତି। ବିଶ୍ବରେ ଏକଛତ୍ରବାଦ ବୃଦ୍ଧି ପାଉଥିବାରୁ ଉଭୟ ଭାରତ ଓ ବ୍ରିଟେନ ଉଦବେଗ ପ୍ରକାଶ କରିଛନ୍ତି ବୋଲି ଜନସନ୍ କହିଛନ୍ତି। ଦୁଇ ଦେଶର ଉଦ୍ୟୋଗୀଙ୍କ ମଧ୍ୟରେ ୧ ବିଲିଅନ ପାଉଣ୍ଡର ନୂଆ ନିବେଶ ଏବଂ ରପ୍ତାନି ରାଜିନାମା ହେବ। ସଫ୍ଟୱେରଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ କ୍ଷେତ୍ରରେ ଏଗୁଡ଼ିକ କରାଯିବ। ଏଥିଯୋଗୁ ବ୍ରିଟେନରେ ୧୧୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଆଶା ରହିଛି। କୁଶଳୀ ଭାରତୀୟମାନଙ୍କୁ ଅଧିକ ସଂଖ୍ୟକ ଭିସା ଦେବା ସପକ୍ଷରେ ମଧ୍ୟ ଜନସନ୍ ମତ ଦେଇଛନ୍ତି। ଆସନ୍ତାକାଲି ସେ ନୂଆଦିଲ୍ଲୀ ଯାଇ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ।