ସାବରମତିରେ ଚରଖା ଚଲାଇବା ସହ ଜେସିବି ଚଢ଼ିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ
ଅହମ୍ମଦାବାଦ: ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ ଗୁରୁବାର ଗୁଜରାଟର ଅହମ୍ମଦାବାଦ୍ ବିମାନ ବନ୍ଦରରେ ପହଂଚିଛନ୍ତି । ବିମାନ ବନ୍ଦରରେ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ତାଙ୍କୁ ସ୍ୱାଗତ କରିଛନ୍ତି ।
ସେହିପରି ସେଠାରେ ଅହମ୍ମଦାବାଦ ମେୟର, ରାଜ୍ୟ ମୁଖ ସଚିବ, ଗୁଜରାଟ ପୁଲିସ ଡିଜି ଆଶିସ୍ ଭାଟିଆ, ସ୍ଥାନୀୟ ଜିଲ୍ଲାପାଳ ଏବଂ ଅହମ୍ମଦାବାଦ ପୁଲିସ କମିଶନର ଉପସ୍ଥିତ ଥିଲେ । ଆସନ୍ତାକାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ବ୍ରିଟେନ ପ୍ରଧାନମନ୍ତ୍ରୀ । ଦିଲ୍ଲୀ ପହଂଚିବା ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ରାଜଘାଟରେ ମାଲ୍ୟାର୍ପଣ କରିବା କାର୍ଯ୍ୟକ୍ରମ ରହିଛି । ଏହା ପରେ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟିବେ । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ ବୋରିସ ଜନ୍ସନ୍ । ସୂଚନା ଅନୁଯାୟୀ ଦୁଇ ଦେଶ ଭିତରେ ରାଜନୈତିକ, କୁଟନୈତିକ ଏବଂ ଆର୍ôଥକ ବୁଝାମଣା ନେଇ ଦୁଇ ନେତା ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଭାରତ-ବ୍ରିଟେନ ମଧ୍ୟରେ ବାଣିଜ୍ୟିକ ସଂପର୍କ ସୁଦୃଢ଼ ପାଇଁ ଅହମ୍ମଦାବାଦରେ ମଧ୍ୟ ବୋରିସ ଜନ୍ସନ୍ ବଡ଼ ବଡ଼ ଉଦ୍ୟୋଗପତିଙ୍କ ସହ ଭେଟିବା କାର୍ଯ୍ୟକ୍ରମ ରହିଛି ।
ଗାନ୍ଧୀନଗରରେ ଥିବା ଗୁଜୁରାଟ ବାୟୋଟେକନୋଲେଜି ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଅଂଶଗ୍ରହଣ କରିଥିଲେ ଜନସନ । ପରେ ଗୁଜୁରାଟର ଜେସିବି ପ୍ଲାଂଟକୁ ମୁଖ୍ୟମନ୍ତ୍ରୀ ପଟେଲଙ୍କ ସହ ପରିଦର୍ଶନ କରିବା ସହ ଏକ ଜେସିବିରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା । ଜନସନ ବିଶିଷ୍ଟ ଉଦ୍ୟୋଗପତି ଗୌତମ ଆଦାନିଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ଆଦାନି ଗ୍ରୁପ ମୁଖ୍ୟାଳୟରେ ଏହି ସାକ୍ଷାତକାର ହୋଇଥିବା ବେଳେ ଏକାଧିକ ବ୍ୟବସାୟିକ ପ୍ରସଙ୍ଗ ସମେତ ନବୀକରଣ ଯୋଗ୍ୟ ଶକ୍ତିର ବ୍ୟବହାର ଓ ଜଳବାୟୁ ପରିବର୍ତନ ଆଦି ସମସ୍ୟା ଉପରେ ମତ ବିନିମୟ ହୋଇଥିଲା । ପରେ ସେ ପ୍ରସିଦ୍ଧ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଥିଲେ । ଆଜି ସନ୍ଧ୍ୟାରେ ସେ ଅହମ୍ମଦାବାଦରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଆସନ୍ତା ଶୁକ୍ରବାର ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଓ ପରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ସ୍ଥିର କରାଯାଇଛି । କାର୍ଯ୍ୟକ୍ରମ ସାରି ସଂନ୍ଧ୍ୟାରେ ନୂଆଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ପ୍ରସ୍ଥାନ କରିବେ ଜନସନ ।