ନଦୀରେ ବୁଡ଼ିଲା ବରଯାତ୍ରୀ ଗାଡି, ବର ସମେତ ୯ମୃତ
କୋଟା : ପୋଲ ତଳକୁ ଖସି ଚାମ୍ବଲ ନଦୀରେ ବୁଡ଼ିଲା ବରଯାତ୍ରୀ ଗାଡି। ବିଳମ୍ବିତ ରାତିରେ ବର ଯାତ୍ରୀ ଯାଉଥିବାବେଳେ ଘଟିଛି ଅଘଟଣ । ବାହାଘର ପାଇଁ ଆଜି ବର ଓ ଅନ୍ୟମାନଙ୍କୁ ନେଇ ମଧ୍ୟପ୍ରଦେଶର ଉଜ୍ଜୈନ୍ ଅଭିମୁଖେ ଯାଉଥିବା ଏକ କାର୍ ରାଜସ୍ଥାନର କୋଟା ଅନ୍ତର୍ଗତ ଛୋଟି ପୁଲିୟାରୁ ଖସି ଚମ୍ବଲ୍ ନଦୀରେ ପଡ଼ିଯିବାରୁ ଅନ୍ୟୂନ ୯ଜଣଙ୍କର ମୃତ୍ୟୁ ଘଟିଛି।
ସୂଚନା ଯେ, ଗତ ଶନିବାର ରାତିରେ ଗାଡିଟି ବରବାଡା ଠାରୁ ଉଜୈନ ଯାଉଥିଲା । ସେହି ସମୟରେ ନାୟାପୁରା କଲଭର୍ଟର ଚାମ୍ବଲ ନଦୀରେ ଗାଡିଟି ଖସିପଡିଥିଲା । କାରରେ ବର ସମେତ ୯ଜଣ ଲୋକ ଥିଲେ। ସମସ୍ତଙ୍କର ମୃତ୍ୟୁ ହୋଇଛି। କେହି ଜଣେ ଏହା ଦେଖିବା ପରେ ସୂଚନା ଦେଇଥିଲେ । ଦୁର୍ଘଟଣା ସଂକ୍ରାନ୍ତରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଏବଂ ଜିଲା ପ୍ରଶାସନ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଉଦ୍ଧାର କରାଯାଇଥିବା ଶବଗୁଡ଼ିକୁ ଜବତ କରାଯାଇ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନା ପଠାଯାଇଛି। ଏହାଛଡ଼ା, ଗୋଟାଏ କ୍ରେନ୍ଦ୍ବାରା ନଦୀରୁ କାର୍ଟିକୁ ଉଠାଯାଇଛି। ଦୁର୍ଘଟଣା ସଂକ୍ରାନ୍ତରେ ସୂଚନା ପାଇବା ପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଦୁଃଖ ପ୍ରକାଶ କରି ଟୁଇଟ୍ କରିଛନ୍ତି, ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା। ଏଭଳି କ୍ଷତି ସହ୍ୟ କରିବାକୁ ଈଶ୍ବର ସେମାନଙ୍କୁ ସାମର୍ଥ୍ୟ ଦିଅନ୍ତୁ। ଦିବଂଗତମାନଙ୍କ ଆତ୍ମା ଶାନ୍ତି ଲାଭ କରୁ।
Rajasthan | Eight people died after their car fell off Chhoti Puliya and into the Chambal river in Kota. The occupants of the car were going to a wedding. The car was retrieved with the help of a crane. pic.twitter.com/TYjWlioP2q
— ANI (@ANI) February 20, 2022
ଏନେଇ ପୋଲିସ କହିଛି ଯେ, ରବିବାର ସକାଳ ପ୍ରାୟ ୮ଟା ୩୦ ମିନିଟ ସମୟରେ ଏକ କାର ନଦୀରେ ପଡ଼ିଥିବାର ସୂଚନା ମିଳିଥିଲା । ଏହା ପରେ ଜିଲା ପ୍ରଶାସନ ଓ ପୋଲିସର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଣେ ଗୁରୁତର ଆହତ ଥିଲା ହେଲେ ବର୍ତ୍ତମାନ ବର ସମେତ ୯ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି ବୋଲି କୁହାଯାଇଛି । ଦୁର୍ଘଟଣା ସମ୍ପର୍କରେ ମୃତକଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି । ଶବ ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ।
କୋଟା ସହର ଏସ୍.ପି. କେଶର ସିଂହ ଶେଖାୱାତ୍ କହିଛନ୍ତି, ରାଜସ୍ଥାନର ସୱାଇ ମାଧୋପୁର ଜିଲା ଅନ୍ତର୍ଗତ ଚୌଥ୍ କା ବାର୍ୱାଡ଼ା ଗାଁରୁ ବର, ବରଯାତ୍ରୀ ନେଇ ମଧ୍ୟପ୍ରଦେଶର ଉଜ୍ଜୈନ୍ ଅଭିମୁଖେ କାର୍ଟି ଯାଉଥିଲା। ହଠାତ୍ ବସ୍ଟାଏ ସେମାନଙ୍କ କାର୍କୁ ଅତକ୍ରମ କରିଯିବାରୁ କାର୍ ବାଟବଣା ହୋଇ ଛୋଟି ପୁଲିୟା ଉପରକୁ ଚାଲିଯିବା ପରେ ନିୟନ୍ତ୍ରଣରୁ ବାହାରିଯାଇ ନଦୀ ମଧ୍ୟକୁ ଖସିପଡ଼ିଥିଲା। କାର୍ ମଧ୍ୟରୁ ୭ଜଣଙ୍କ ଶବ ଏବଂ ନଦୀ ପାଣିରୁ ଦୁଇଜଣଙ୍କ ଶବ ଉଦ୍ଧାର କରାଯାଇଛି। ସମ୍ଭବତଃ ଢୋଳ ଲାଗୁଥିବା କାରଣରୁ ଡ୍ରାଇଭର୍ କାର୍ ଉପରୁ ନିୟନ୍ତ୍ରଣ ହରାଇଥିଲେ।