ଘାଇ ଭିତରକୁ ଖସିଲା ବରଯାତ୍ରୀ ବସ୍ : ୮ ମୃତ, ୪୦ରୁ ଊର୍ଦ୍ଧ୍ୱ ଆହତ
ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲାର ସେଶାଚାଲମ ଘାଟି ରାସ୍ତାରେ ରବିବାର ବିଳମ୍ବିତ ରାତିରେ ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଘାଟିରୁ ପ୍ରାୟ ୧୦୦ ଫୁଟ ଖାଇକୁ ବସ ଖସି ପଡ଼ିଛି। ଦୁର୍ଘଟଣାରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ବସର ଡ୍ରାଇଭର ମଧ୍ୟ ଅଛନ୍ତି।
ତୀର୍ଥକ୍ଷେତ୍ର ତିରୁପତିଠାରୁ କିଛି କିଲୋମିଟର ଦୂରରେ ଥିବା ମଦନାନାପଲେ ଏବଂ ତିରୁପତି ମଧ୍ୟରେ ଭାକରାପେଟରେ ବସ ଦୁର୍ଘଟଣା ଘଟିଛି। ଶନିବାର ରାତି ପ୍ରାୟ ସାଢେ ଦଶଟା ସମୟରେ ଏହି ଭୟାନକ ଘଟଣା ଘଟିଥିଲା। ତିରୁପତି (ସହରାଞ୍ଚଳ) ପୋଲିସର ସୂଚନାନୁସାରେ, ଏକ ଘରୋଇ ବସ୍ରେ ଧର୍ମରାମରୁ ଗୋଟିଏ ପରିବାରର ପ୍ରାୟ ୫୦ ଜଣ ସଦସ୍ୟ ଏବଂ ସେମାନଙ୍କ ବନ୍ଧୁମାନେ ତିରୁପତି ସହରଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଥିବା ତିରୁଚାନୁରକୁ ଯାଉଥିଲେ। ସେମାନେ ରବିବାର ସକାଳେ ୨୮ ବର୍ଷିୟ ମାଲିଶେଟ୍ଟି ଭେନୁଙ୍କ ନିର୍ବନ୍ଧ ଉତ୍ସବରେ ଯୋଗଦେବାକୁ ଘରୁ ବାହାରିଥିଲେ।
ରାତି ପ୍ରାୟ ୯ ଟାରେ ପିଲେରୁର ଏକ ଢାବାରେ ରାତ୍ରୀ ଭୋଜନ କରିବା ପରେ ସେମାନେ ଗନ୍ତବ୍ୟ ସ୍ଥଳକୁ ବାହାରିଥିଲେ। ସେଶାଚାଲାମ ପାହାଡ ଉପରେ ଥିବା ଭାକରାପେଟ ଘାଟି ରାସ୍ତାରେ ଥିବା ଡୋନାକୋଟି ଗଙ୍ଗାମା ମନ୍ଦିର ପାର ହେବା ପରେ ଡ୍ରାଇଭର ଷ୍ଟିଅରିଂ ଉପରେ ନିୟନ୍ତ୍ରଣ ହରାଇବାରୁ ବସ୍ ରାସ୍ତାରୁ ଖସି ଏକ ଗଭୀର ଖାଇକୁ ଖସିଯାଇଥିବା ଜଣାପଡିଛି। ଦୁର୍ଘଟଣାର ଦୁଇ ଘଣ୍ଟାରୁ ଅଧିକ ସମୟ ଧରି କେହି ଏହାକୁ ଲକ୍ଷ୍ୟ କରିନଥିଲେ। ଘାଟିରେ କୌଣସି ମୋବାଇଲ୍ ସିଗନାଲ୍ ମଧ୍ୟ ନଥିଲା ବୋଲି ପୋଲିସ କହିଛି।
ବିଳମ୍ବିତ ରାତିରେ ସେହି ବାଟ ଦେଇ ଯାଉଥିବା କିଛି ଯାତ୍ରୀ ଲୋକଙ୍କ ଚିତ୍କାର ଶୁଣି ଚନ୍ଦ୍ରଗିରି ପୋଲିସକୁ ଖବର ଦେଇଥିଲେ। ବସ୍ର କିଛି ଯାତ୍ରୀ ବହୁ ସଂଘର୍ଷ କରି ବସ୍ରୁ ବାହାରକୁ ଆସିବାରେ ସଫଳ ହୋଇଥିବାବେଳେ ଅନ୍ୟମାନେ ବସ୍ ଭିତରେ ଚାପି ହୋଇଯାଇଥିଲେ। ଅନ୍ଧାର ଏବଂ ଖାଇ ବହୁତ ଗଭୀର ଥିଲାରୁ ଉଦ୍ଧାର କାର୍ଯ୍ୟ ବହୁତ କଷ୍ଟକର ଥିଲା। ରାତି ଗୋଟାଏ ସୁଦ୍ଧା ବସରୁ ୨୬ ଜଣଙ୍କୁ ବାହାର କରି ତିରୁପତିସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ରାମଚନ୍ଦ୍ର ରୁଆ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଏପର୍ଯ୍ୟନ୍ତ ଆଠ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।
ତିରୁପତି ଏବଂ ଚନ୍ଦ୍ରଗିରିର ସ୍ୱତନ୍ତ୍ର ପୋଲିସ ବାହିନୀ ଅଗ୍ନିଶମ କର୍ମଚାରୀଙ୍କ ସହ ଉଦ୍ଧାର କାର୍ଯ୍ୟରେ ଭାଗ ନେଇଥିଲେ। ତିରୁପତି (ସହରାଞ୍ଚଳ) ପୋଲିସ ଅଧୀକ୍ଷକ ଭେଙ୍କଟା ଆପାଲା ନାଇଡୁ ଦୁର୍ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ଅତିରିକ୍ତ ପୋଲିସ ଅଧୀକ୍ଷକ ସୁପ୍ରାଜା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ପୀଡ଼ିତାଙ୍କ ମୃତଦେହକୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିଥିଲେ। ତେବେ ଏହି ଦୁର୍ଘଟଣାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ କିମ୍ବା ତାଙ୍କ କାର୍ଯ୍ୟାଳୟ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।