ଲାଞ୍ଚୁଆ ପୋଲିସ ଅଧିକାରୀଙ୍କୁ ୫ବର୍ଷ ଜେଲ
ବାରିପଦା : ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ପକ୍ଷରୁ ମଙ୍ଗଳବାର ଜଣେ ପୋଲିସ ଏସଆଇଙ୍କ ଲାଞ୍ଚ ନେବା ମାମଲାର ରାୟ ପ୍ରକାଶ ପାଇଛି। ସତନ୍ତ୍ର ବିଚାରପତି ଡ. ପ୍ରସନ୍ନ କୁମାର ପଣ୍ଡା ଏହାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୫ବର୍ଷର ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହା ସହିତ ୪୦ହଜାର ଟଙ୍କା ଜରିମାନା କରିଥିବା ବେଳେ ଜରିମାନା ଅନାଦେୟ ଅଧିକ ୧ବର୍ଷ ୨ମାସ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନାର ତତ୍କାଳୀନ ସବ ଇନିସ୍ପେକ୍ଟର ହୃଷିକେଶ ପଶ୍ଚିମକବାଟ।
ଅଭିଯୋଗରୁ ପ୍ରକାଶ ଯେ, ଖୁଣ୍ଟା ଥାନାରେ ଏକ ଯୌତୁକ ନିର୍ଯାତନା ମାମଲାରେ ଅଭିଯୁକ୍ତ ମାନଙ୍କ ସପକ୍ଷରେ ଯିବାକୁ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଖୁଣ୍ଟା ଥାନା ଅନ୍ତର୍ଗତ ସାନବେଳାକୁଟି ଗ୍ରାମର ସଞ୍ଜିବ ପୁଥାଳଙ୍କ ସମେତ ପରିବାରର ୭ ଜଣଙ୍କ ବିରୋଧରେ ଏକ ଯୌତୁକ ନିର୍ଯ୍ୟାତନା ମାମଲା ରୁଜୁ ହୋଇଥିଲା। ଏହି ମାମଲରେ ଅଭିଯୁକ୍ତ ମାନଙ୍କୁ ଗିରଫ ନକରିବା ପାଇଁ ଏସଆଇ ହୃଷିକେଶ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ୫ ହଜାର ଟଙ୍କା ନେଇଥିବା ବେଳେ ବଳକା ଟଙ୍କା ଶୀଘ୍ର ଦେବାକୁ କହିଥିଲେ।
ଏହାକୁ ନେଇ ସଞ୍ଜିବଙ୍କ ଭାଇ ବିବେକାନନ୍ଦ ପୁଥାଳ ବାରିପଦା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ମୁତାବକ ବାଲେଶ୍ଵର ଭିଜିଲାନ୍ସ ବିଭାଗରେ ଏକ ମାମଲା ରୁଜୁ ହୋଇଥିଲା। ପୂର୍ବ ଯୋଜନା ମୁତାବକ ୨୦୧୫ ଅପ୍ରେଲ ୧୩ତାରିଖ ରାତି ସମୟରେ ଆଉ ୭ ହଜାର ଟଙ୍କା ଲାଞ୍ଚ ଥାନା ପରିସରରେ ନେଉଥିବା ସମୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା। ତାଙ୍କ ଠାରୁ ରାସାୟନ ବୋଳା ୭ ହଜାର ଟଙ୍କା ଭିଜିଲାନ୍ସ ଟିମ ଜବତ କରିଥିଲା । ଏହାକୁ ନେଇ ୧୧/୧୫ରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ଏସଆଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।
୮ଜଣ ସାକ୍ଷୀ, ବୟାନ ଓ ପ୍ରମାଣ ରିପୋର୍ଟକୁ ଭିତି କରି ଜଜ୍ ଉପରୋକ୍ତ ଶୁଣାଣି କରିଛନ୍ତି। ତେବେ ଏସଆଇ ହୃଷିକେଶ ବର୍ତ୍ତମାନ ସମୟରେ ବାଲେଶ୍ଵର ଟ୍ରାଫିକ ଥାନାରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ରହିଛନ୍ତି। ରାୟ ପ୍ରକାଶ ପରେ ହୃଷିକେଶଙ୍କୁ ଗିରଫ କରାଯାଇ ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି। ଉକ୍ତ ମାମଲାକୁ ସତନ୍ତ୍ର ଭିଜିଲାନ୍ସ କୋର୍ଟର ସରକାରୀ ଆଇନଜୀବୀ ଶାନ୍ତନୁ ଦାସ ପରିଚାଳନା କରୁଥିଲେ। ଭିଜିଲାନ୍ସ ବିଭାଗ ପକ୍ଷରୁ ହୃଷିକେଶଙ୍କୁ ଚାକିରୀରୁ ବରଖାସ୍ତ କରିବା ପାଇଁ ପୁଲିସ ବିଭାଗକୁ ନିର୍ଦେଶ ମଧ୍ୟ ଦେଇଛନ୍ତି।