ବ୍ରଜରାଜନଗର ଉପ-ନିର୍ବାଚନ : ୨୭୯ ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ
ନେତା ବାଛିବେ ୨ ଲକ୍ଷ ୧୪ ହଜାରରୁ ଅଧିକ ଭୋଟର
ଭୁବନେଶ୍ୱର : ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଛି । ଏଥିପାଇଁ ପ୍ରାର୍ଥୀ ତାଲିକା ଚୁଡାନ୍ତ ହୋଇଛି । ୫ଟି ପିଙ୍କ୍ ବୁଥକୁ ମିଶାଇ ମୋଟ ୨୭୯ ବୁଥରେ ଭୋଟ ଗ୍ରହଣ କରାଯିବ । ମଇଦାନରେ ମୋଟ ୧୧ ଜଣ ପାର୍ଥୀ ଅଛନ୍ତି । ମତଦାନ ପୂର୍ବରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପହଂଚିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।
ସେ କହିଛନ୍ତି ଯେ, ଭୋଟର ତାଲିକା ଚୁଡାନ୍ତ ହୋଇଛି । ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ଅଛନ୍ତି । ସୋମନଙ୍କ ମଧ୍ୟରୁ ୩ ହଜାର ୫୨୦ ଦିବ୍ୟାଙ୍ଗ ଭୋଟର । ୧୬୨୮ ଭୋଟର ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ଅଟନ୍ତି । ୧୩୩ ନୂଆ ଭୋଟର ସାମିଲ ହୋଇଛନ୍ତି । ଏହାସହ ଭୋଟିଂ ପାଇଁ ୩୧୯ ଇଭିଏମ ପ୍ରସ୍ତୁତ ରହିଛି । ପ୍ରତି ବୁଥରେ ଅତି ବେଶୀରେ ୧୨୫୦ ଭୋଟର ରହିବେ । ମୋଟ ୨୭୯ ବୁଥ କରାଯାଇଛି । ଗତ ନିର୍ବାଚନରେ ହୋଇଥିବା ବୁଥ ମଧ୍ୟରୁ ୩ ଟା ବୁଥ ସ୍ଥାନାନ୍ତର କରାଯାଇଛି । ଅନ୍ୟ ସବୁ ବୁଥ ସମାନ ରହିଛି । ସେହିପରି ୩୨୫ ଲୋକଙ୍କ ଘରୁ ଭୋଟ ସଂଗ୍ରହ କରାଯିବ । ସେମାନେ ଭୋଟ ଦେବାକୁ ଆସିବାକୁ ଅସମର୍ଥ ଥିବାରୁ ଘରୁ ଭୋଟ ସଂଗ୍ରହ ହେବ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଆଜିଠୁ ଭୋଟ ସଂଗ୍ରହ ଆରମ୍ଭ ହୋଇଛି । ଯେଉଁମାନଙ୍କ ଘରୁ ଭୋଟ ସଂଗ୍ରହ ହେବ ସେମାନେ ଆଉ ବୁଥରେ ଭୋଟ ଦେଇ ପାରିବେନି । ୨୨୪ ଜଣ ସର୍ଭିସ ଭୋଟରଙ୍କ ପାଇଁ ପୋଷ୍ଟଲ ବାଲଟ ପଠା ସରିଛି । ନିର୍ବାଚନ ପରିଚାଳନା ପାଇଁ ୧୩୯୬ ପୋଲିଂ ଅଧିକାରୀ ରହିବେ । ଝାରସୁଗୁଡା ଇଞ୍ଜିନିୟର ସ୍କୁଲରେ ସ୍ୱତନ୍କ୍ର କେନ୍ଦ୍ର ହେବ ବୋଲି ସେ କହିଛନ୍ତି ।
ଆହୁରି ମଧ୍ୟ ପୁଲିଂ ଅଧିକାରୀଙ୍କ ପାଇଁ ୩୮୦ ଗାଡି ବ୍ୟବସ୍ଥା କରାଯାଇଛି । ୧୭୦ ଆର୍ମ ଲାଇସେନ୍ସକୁ ଥାନାରେ ଡିପୋଜିଟ କରାଯାଇଛି । ପୂର୍ବରୁ ଅପରାଧୀକ ମାମଲା ଥିବା ୧୦୪୮ ଲୋକଙ୍କୁ ଅଟକ ରଖାଯାଇଛି । ୭୧ ଜଣଙ୍କ ନାଁରେ ଏଲବିଡବ୍ଲୁ ଜାରି କରାଯାଇଛି । ଏହି ସମୟରେ ୮୩୫ ଲିଟର ମଦ ଜବତ କରାଯାଇଛି । ୧୯୫୦ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଯେଉଁଥିରେ ଭୋଟର ଅଭିଯୋଗ ଓ ସମସ୍ୟା ଶୁଣାଯିବ । ସେହିପରି ୫୦ ପ୍ରତିଶତ ବୁଥରେ ୱେବ କାଷ୍ଟିଂ ହେବ । ଆବଶ୍ୟକ ସ୍ଥାନରେ ଭିଡିଓଗ୍ରାଫି କରାଯିବ । ଯେଉଁ ବୁଥରେ ଗତଥର କମ ଭୋଟି ହୋଇଥିଲା ସେଠାରେ ମୁଁ ବି ଭୋଟ ଦେବି ନାମରେ କ୍ୟାମ୍ପନ କରାଯାଉଛି । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସବୁ ବ୍ୟବସ୍ଥା ହୋଇଛି । ମୋଟ ୩୦ଟି ମଡେଲ ବୁଥ କରାଯାଇଛି । ଏଠାରେ ସବୁ ଆବଶ୍ୟକୀୟ ବ୍ୟବସ୍ଥା ରହିଛି । ୫ଟି ପିଙ୍କ ବୁଥ ରହିଛି । ସବୁ ବୁଥରେ ଖରା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଉଁ ବୁଥରେ ପୂର୍ବରୁ ସମସ୍ୟା ରହିଛି କିମ୍ବା ଅଘଟଣ ଘଟିଛି ଏବଂ ଅଘଟଣ ଆଶଙ୍କା ଥିବ ସେନେଇ ରାଜନୈତିକ ଦଳ ଗୁଡିକ ସୂଚନା ଦେବେ ବୋଲି ସୁଶୀଲ ଲୋହାନୀ କହିଛନ୍ତି ।