ବ୍ରଜରାଜନଗର ଉପନିର୍ବାଚନ : ବିଜେପିରୁ ରାଧାରାଣୀ, ବିଜେଡି ଓ କଂଗ୍ରେସରୁ କିଏ?
ବ୍ରଜରାଜନଗର : ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପୂର୍ବତନ ବିଧାୟିକା ତଥା ଗତଥର ଲଢି ହାରିଥିବା ରାଧାରାଣୀ ପଣ୍ଡାଙ୍କୁ ପୁଣି ପ୍ରାର୍ଥୀ କରିଛି ଦଳ । ବିଜେପି ଟିକେଟ ପାଇଁ ଆଶାୟୀ ଥିବା ଯୁବ ଚେହେରା ସୁଜିତ ସିଂଙ୍କୁ ପଛରେ ପକାଇ ଟିକେଟ ହାତେଇବାରେ ସକ୍ଷମ ହୋଇଛନ୍ତି ରାଧାରାଣୀ । ରାଧାରାଣୀ ପଣ୍ଡାଙ୍କ ଅନୁଭବ ଓ ସାଙ୍ଗଠନିକ ଦକ୍ଷତାକୁ ଆଧାର କରେ ବିଜେଡିକୁ ଟକ୍କର ଦେବାକୁ ଯୋଜନା କରିଛି ବିଜେପି ।
ସେପଟେ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେଡି । ସ୍ୱର୍ଗତଃ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ଟିକଟ ମିଳିବା ଆପାତତଃ ସ୍ପଷ୍ଟ ବୋଲି ଜଣାପଡ଼ିଛି । ତେବେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଛିଡ଼ା କରାଇବାକୁ ଝାରସୁଗୁଡ଼ା ବିଧାୟକ ମନ୍ତ୍ରୀ ନବ ଦାସ ଉଦ୍ୟମ କରୁଥିବା ଜଣାପଡ଼ିଛି । ପ୍ରଥମେ ନିଜ ଝିଅ ଦୀପାଲି ଦାସ ଓ ଏବେ କିଶୋର ପଟେଲଙ୍କ ବୋହୂ ଅନନ୍ୟ ଅନୁସୂୟାଙ୍କ ପାଇଁ ନବ ଦାସ ଲବି କରୁଥିବା ଚର୍ଚ୍ଚା ହେଉଛି । ତେବେ ନବଙ୍କ ଏହି ଲବିକୁ ବିରୋଧ କରୁଛନ୍ତି ବ୍ରଜରାଜନଗରର ମୂଳ ବିଜେଡି ସଂଗଠନ ଓ କିଶୋର ମହାନ୍ତିଙ୍କ ସମର୍ଥକମାନେ । ଏପିରିକି ପଶ୍ଚିମ ଓଡ଼ିଶାର ଆଉ ଜଣେ ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟ କିଶୋର ମହାନ୍ତିଙ୍କୁ ପତ୍ନୀଙ୍କୁ ଟିକଟ ଦେବା ସପକ୍ଷରେ ମତ ଦେଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ, ବିଜେଡିର ନେତାମାନେ କିନ୍ତୁ ଏବେଠୁ ଉତ୍ସାହିତ ଅଛନ୍ତି । ଦଳର ବହୁମତରେ ଜିତିବ ବୋଲି ଏବେଠୁ କହିଲେଣି ।
ଏସବୁ ଭିତରେ କଂଗ୍ରେସ ବି ପ୍ରାର୍ଥୀ ଚୟନରେ ପଛରେ ପଡ଼ିଛି । କିଶୋର ପଟେଲ ପ୍ରାର୍ଥୀ ହେବେ କି ନାହଁ ତାହା ବି ସ୍ପଷ୍ଟ ହୋଇନି । ଉଭୟ ବିଜେପି ଓ ବିଜେଡି ପାଇଁ ବ୍ରଜରାଜନଗର ବିଜୟ ସହଜ ନ ଥିଲା । ୨୦୧୪ ଯାଏଁ ଏହା କମ୍ୟୁନିଷ୍ଟ ଓ କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା । ହେଲେ ୨୦୧୪ରେ ଏଠାରୁ ବିଜେପିର ରାଧାରାଣୀ ପଣ୍ଡା ଓ ୨୦୧୯ରେ ବିଜେଡିର କିଶୋର ମହାନ୍ତି ବିଜୟୀ ହୋଇଥିଲା । କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ମେ ୩୧ରେ ଏଠାରେ ଉପନିର୍ବାଚନ ହେବ । ମେ ୧୧ ହେଉଛି ନାମାଙ୍କନର ଶେଷ ଦିନ ।