ବର୍ଡର-ଗାଭାସ୍କର ଟ୍ରଫିର ଦ୍ଵିତୀୟ ଟେଷ୍ଟ : ୨ୟ ଇନିଂସରେ ୧୧୩ ରନ୍ରେ ଅଲ୍ଆଉଟ୍ ଅଷ୍ଟ୍ରେଲିଆ, ଭାରତକୁ ୧୧୫ ରନ୍ର ବିଜୟ ଲକ୍ଷ୍ୟ
ନୂଆଦିଲ୍ଲୀ : ବର୍ଡର-ଗାଭାସ୍କର ଟ୍ରଫିର ଭାରତ-ଅଷ୍ଟ୍ରେଲିଆ ଦ୍ଵିତୀୟ ଟେଷ୍ଟର ତୃତୀୟ ଦିନ । ଦ୍ଵିତୀୟ ଇନିଂସରେ ଭାରତୀୟ ସ୍ପିନରଙ୍କ ଜଲଓ୍ୱା ଦେଖିବାକୁ ମିଳିଛି । ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ଜାଲରେ ଫସି ଦ୍ଵିତୀୟ ଇନିଂସରେ ମାତ୍ର ୧୧୩ ରନ୍ରେ ଅଲ୍ଆଉଟ୍ ହେଲା ଅଷ୍ଟ୍ରେଲିଆ । ଫଳରେ ଭାରତକୁ ୧୧୫ ରନ୍ର ବିଜୟ ଲକ୍ଷ୍ୟ ମିଳିଛି । ଦ୍ଵିତୀୟ ଇନିଂସରେ ଜାଡେଜା ସର୍ବାଧିକ ୭ଟି ଓ୍ୱିକେଟ୍ ନେଇଥିବା ବେଳେ ଅଶ୍ୱିନୀ ୩ଟି ଓ୍ୱିକେଟ୍ ନେଇଛନ୍ତି ।
ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ଵିତୀୟ ମ୍ୟାଚରେ ଟସ୍ ଜିତି ପ୍ରଥମ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଏହାପରେ ବ୍ୟାଟିଂ କରିଥିବା ଭାରତ ୨୬୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଅଷ୍ଟ୍ରେଲିଆ ବୋଲର ନାଥନ ଲାୟନଙ୍କ ସ୍ପିନ୍ ଆଗରେ ମୁଣ୍ଡ ନୁଆଁଇଥିଲେ ଟିମ୍ ଇଣ୍ଡିଆ ବ୍ୟାଟର । ପରେ ୨ୟ ଇନିଂସରେ ବ୍ୟାଟିଂ ଆରମ୍ଭ କରିଥିଲେ କଙ୍ଗାରୁ ବ୍ୟାଟର । ହେଲେ ଭାରତୀୟ ସ୍ପିନରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ ଭ୍ରମଣକାରୀ ଦଳ । ଖାସ୍ କରି ରବିଚନ୍ଦ୍ରନ ଅଶ୍ୱିନୀ ଏବଂ ରବିନ୍ଦ୍ର ଜାଡେଜାଙ୍କ ବୋଲିଂ । ଉଭୟଙ୍କ ସ୍ପିନ ବୋଲିଂ ଭାଙ୍ଗି ଦେଇଥିଲା ଅଷ୍ଟ୍ରେଲିଆ ବ୍ୟାଟିଂର ମେରୁଦଣ୍ଡ । ତେବେ ୨ୟ ଇନିଂସରେ ରବିନ୍ଦ୍ର ଜାଡେଜା ୭ଟି ଓ୍ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ ୩ଟି ଓ୍ୱିକେଟ୍ ନେଇଛନ୍ତି । ଏହି ଦୁଇ ଜଣଙ୍କୁ ଛାଡି ଅନ୍ୟ କୌଣସି ବୋଲର ୨ୟ ଇନିଂସରେ ଓ୍ୱିକେଟ୍ ନେଇପାରିନଥିଲେ । ଉଭୟ ପୋଛି ନେଇଥିଲେ କଙ୍ଗାରୁ ଓ୍ୱିକେଟ୍ ।
ସେପଟେ ୧୧୫ ରନ୍ର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ହେଲେ ଘରୋଇ ଟିମ୍ ଲାଗିଛି ପ୍ରାରମ୍ଭିକ ଝଟ୍କା । ଓପନର କେଏଲ୍ ରାହୁଲ ମାତ୍ର ୧ ରନ୍ କରି ପାଭିଲିୟନ୍ ଫେରିଛନ୍ତି । ଅଧିନାୟକ ରୋହିତ ଶର୍ମା ଏବଂ ଅଭିଜ୍ଞ ଚେତେଶ୍ୱର ପୂଜାରା ଏବେ କ୍ରିଜ୍ରେ ଉପସ୍ଥିତ ରହିଛନ୍ତି ।