ପୁଣେ କାରଖାନାରେ ‘କୋଭାକ୍ସିନ୍’ ଉତ୍ପାଦନ ପାଇଁ ବମ୍ବେ ହାଇକୋର୍ଟଙ୍କ ଅନୁମତି
ମୁମ୍ୱାଇ : ପୁଣେ ନିକଟରେ ପ୍ରାୟ ୧୨ ହେକ୍ଟର ଜମିରେ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ତଥା ପ୍ରସ୍ତୁତ ଟିକା କାରଖାନାରେ କୋଭକ୍ସିନ ଏବଂ ଅନ୍ୟ ଜୀବନ ରକ୍ଷାକାରୀ ଟିକା ପ୍ରସ୍ତୁତ କରିବାକୁ ବମ୍ବେ ହାଇକୋର୍ଟ ଅନୁମତି ଦେଇଛନ୍ତି । କୋଭକ୍ସିନ ଟିକା ପ୍ରସ୍ତୁତ କରୁଥିବା ଭାରତ ବାୟୋଟେକର ସହଯୋଗୀ ବାୟୋଭେଟକୁ ଟିକା ତିଆରି ପାଇଁ ଅନୁମତି ମିଳିଛି । ଦେଶରେ ଟିକାର ଅଭାବ ଦେଖା ଦେଉଥିବା ବେଳେ ଏହାକୁ ଦୂର କରିବା ପାଇଁ ବମ୍ବେ ହାଇକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି ।
ଗତ ସପ୍ତାହରେ ଜଷ୍ଟିସ କମଲ କିଶୋର ଟେଟେଡ ଏବଂ ନିତିନ ବୋରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଥିଲେ । ଏହା ସହ ଟିକା ଉତ୍ପାଦନ ଶୀଘ୍ର ଆରମ୍ଭ କରିବା ପାଇଁ ବାୟୋଭେଟକୁ ଅନୁମତି ଦେବାକୁ ଜଙ୍ଗଲର ମୁଖ୍ୟ ସଂରକ୍ଷଣକାରୀ, ପୁଣେ ଡିଭିଜନ୍, ଜିଲ୍ଲା କଲେକ୍ଟର ଏବଂ ଅନ୍ୟାନ୍ୟ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଏକ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ଜାରି କରିଥିଲେ । ସୂଚନା ଯେ, ଉପ ବନ ସଂରକ୍ଷଣକାରୀ ପୁଣେରେ ଥିବା କାରଖାନାରେ ଟିକା ଉତ୍ପାଦନ ପାଇଁ ମନା କରିବା ପରେ ବାୟୋଭେଟ୍ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ବାୟୋଭେଟ୍ ଦ୍ୱାରା ଦାଖଲ କରାଯାଇଥିବା ପିଟିସନ ଉପରେ ଶୁଣାଣି କରି ବମ୍ବେ ହାଇକୋର୍ଟ ଏବେ ବାୟୋଭେଟକୁ ପୁଣେ କାରଖାନାରେ ‘କୋଭାକ୍ସିନ୍’ ଟିକା ଉତ୍ପାଦନ ପାଇଁ ଅନୁମତି ଦେଇଛନ୍ତି ।