ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବଳରାମଗଡ଼ି ମାଛଧରା ବନ୍ଦରକୁ ଫେରୁଛି ବୋଟ୍
ମୁକାବିଲା ପାଇଁ ବାଲେଶ୍ୱର ଜିଲାପ୍ରଶାସନ ପ୍ରସ୍ତୁତ
ବାଲେଶ୍ୱର : ଗୁରୁବାର ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି । ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଏକ ଲଘୁଚାପ କ୍ଷେତ୍ର । ୨୨ ତାରିଖ ବେଳକୁ କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ଏକ ଡିପ୍ରେସନ୍ରେ ପରିଣତ ହେବା ସମ୍ଭାବନା ରହିଛି । ୨୩ ତାରିଖରେ ଅଧିକ ଘନୀଭୂତ ହୋଇ ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତରେ ପରିଣତ ହେବ । ଏହାପରେ ରିକର୍ଭ କରିବା ସମ୍ଭାବନା ରହିଛି । ଉତ୍ତର ଦିଗରେ ଗତି କରି ୨୪ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ସାମୁଦ୍ରିକ ଝଡ଼ ସି-ତ୍ରଙ୍ଗ । ବାତ୍ୟା ରୂପ ଧାରଣ କରିବା ପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମୁହାଁ ହେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଏହାର ତୀବ୍ରତା ଓ ଗତିପଥ ନେଇ କୌଣସି ସୂଚନା ଦେଇନି ଆଇଏମ୍ଡି । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲାରେ ହେବ ବର୍ଷା । ୨୩ ତାରିଖ ସକାଳ ପରେ ହାଲୁକା ବର୍ଷା ହୋଇପାରେ । ପୁରୀରୁ ବାଲେଶ୍ୱର ଯାଏ ଉପକୂଳବର୍ତ୍ତୀ ଜିଲାରେ ବର୍ଷା ସମ୍ଭାବନା ରହିଛି । ୨୪ ଓ ୨୫ରେ ବର୍ଷାର ପରିମାଣ ଅଧିକ ରହିବ । କିନ୍ତୁ ବିଶେଷ ପବନ ସମ୍ଭାବନା ନାହିଁ । ସ୍ଥଳଭାଗ ଛୁଇଁବା ବେଳକୁ ଅବପାତ ପ୍ରଭାବରେ ୨୨ ତାରିଖ ସକାଳଠାରୁ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି । ୨୩ ତାରିଖରୁ ଓଡ଼ିଶା ଉପକୂଳର ଆଖପାଖ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ପରେ ଏବେ ଉପକୂଳ ମୁହାଁ ସମସ୍ତ ବୋଟ । ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀ ସମୁଦ୍ର ଅଶାନ୍ତ ରହୁଥିବାରୁ ଏବେ ଜେଟି ମୁହାଁ ହେଉଛନ୍ତି । ଗୁରୁବାର ବାଲେଶ୍ୱର ବଳରାମଗଡ଼ି ମାଛଧରା ବନ୍ଦରକୁ କ୍ରମଶଃ କିଛି ବୋଟ ସମୁଦ୍ର ଅଶାନ୍ତ ଯୋଗୁଁ ମାଛ ମାରି ଫେରି ଥିବା ବେଳେ ଶୁକ୍ରବାର ସମସ୍ତ ବୋଟ କୂଳରେ ଲାଗିବ ବୋଲି ଆଶା କରାଯାଉଛି ।
ଏନେଇ ବାଲେଶ୍ୱର ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କହିଛନ୍ତି, ଓଡ଼ିଶା ସବୁବେଳେ ଅକ୍ଟୋବର ମାସରେ ପ୍ରାକୃତିକ ଦୁର୍ବିପାକକୁ ସାମ୍ନା କରେ । ସେଥିପାଇଁ ଆମେ ସବୁବେଳେ ପ୍ରସ୍ତୁତ ରହିଛୁ । ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆଲର୍ଟ ରହିବାକୁ କହିଛୁ । ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସମ୍ଭାବ୍ୟ ବାତ୍ୟା (‘ସି-ତ୍ରାଙ୍ଗ’) ବାଲେଶ୍ୱରକୁ ହିଟ୍ କରିବ କି ନାହିଁ ଏଯାଏଁ ସ୍ପଷ୍ଟ ହୋଇ ନାହିଁ । ବନ୍ୟା ହେଉ କିମ୍ବା ବାତ୍ୟା ସବୁବେଳେ ମୁକାବିଲା ପାଇଁ ପ୍ରସ୍ତୁତ ରହିଛୁ । ପାଣିପାଗ ବିଭାଗର ପୂର୍ବାନୁମାନ ନେଇ ଏସ୍ଆର୍ସିଙ୍କ ପକ୍ଷରୁ ସୂଚାଇ ଦିଆଯାଇଛି । ଏସ୍ଆର୍ସିଙ୍କ ପକ୍ଷରୁ ସମସ୍ତ ଉପକୂଳବର୍ତ୍ତୀ ଜିଲାର ଜିଲାପାଳମାନଙ୍କୁ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହି ଅନୁସାରେ ବାଲେଶ୍ୱର ଜିଲା ପ୍ରଶାସନ ମଧ୍ୟ ପ୍ରସ୍ତୁତ ରହିଛି । ମୁଖ୍ୟ ଶାସନ ସଚିବ ଆଗୁଆ ୩ରୁ ୪ ମାସ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ଏକ ମିଟିଂ ନେଇଥିଲେ, ସେ ଅନୁସାରେ ଆମେ ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀକୁ ପ୍ରସ୍ତୁତ ରଖିଛୁ । ବାତ୍ୟା କେଉଁ ଜାଗାରେ ଲ୍ୟାଣ୍ଡଫଲ୍ କରିବ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଫଳରେ ଭୟଭୀତ ହେବାର କୌଣସି କାରଣ ନାହିଁ ।