ବ୍ଲକସ୍ତରୀୟ ବିଜ୍ଞାନ ମେଳା, ୬୦ ପ୍ରକଳ୍ପ ପ୍ରଦର୍ଶିତ
ସିମୁଳିଆ : ସିମୁଳିଆ ବ୍ଲକ ଅଧୀନ ସରକାରୀ ଉଚ୍ଚ ବିଦ୍ୟାଳୟ ବରି ପରିସରରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ୬୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିସରରେ ଉତ୍ସବର ଆୟୋଜନ କରାଯାଇଥିଲା ।
ବଳଦେବଜୀଉ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବନମାଳୀ ନାୟକଙ୍କ ମଞ୍ଚ ସଞ୍ଚାଳନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ରୂପେ ବୈଜ୍ଞାନିକ ଡ. ମନୋରଞ୍ଜନ ମହାନ୍ତି ଯୋଗଦେଇ ସମାଜକୁ ବିଜ୍ଞାନର ଅବଦାନ ଅତୂଳନୀୟ, ପିଲାମାନେ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ନିଜେ ପ୍ରକଳ୍ପ ତିଆରୀ କଲେ ଅଧିକ ଫଳପ୍ରଦ ହୋଇ ପାରିବ ବୋଲି କହିଥିଲେ । ସେହିପରି ସଭାପତି ବିଇଓ ପ୍ରକାଶ ଚନ୍ଦ୍ର ମହାଳିକ ପୁରାଣ ସହିତ ବର୍ତ୍ତମାନର ସାମଞ୍ଜସ୍ୟ ରହିଛି ଓ ବିଜ୍ଞାନ ସବୁଠି ଲୁକ୍କାୟିତ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ରୂପେ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ବିମଳ ଲୋଚନ ଲେଙ୍କା, ସମିତି ସଭ୍ୟା ଅମିତା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ବ୍ଲକ ବିଜ୍ଞାନ ସଂଯୋଜକ ତଥା ବରି ହାଇସ୍କୁଲର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ମହାନ୍ତି ପ୍ରାରମ୍ଭିକ ସୂଚନା ଓ ସିଆର୍ସିସି ପିତବାସ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।