ବ୍ରହ୍ମବରଦାରେ କଳା ପଲସର ଆତଙ୍କ ଘଟଣା : ଲକ୍ଷାଧିକ ଟଙ୍କା ସହ ୨ ଅଭିଯୁକ୍ତ ଗିରଫ
ଧର୍ମଶାଳା : ଚଳିତ ମାସ ୧୪ ତାରିଖ ଦିନ ଦ୍ୱିପ୍ରହରରେ ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ବ୍ରହ୍ମବରଦା ମାଛ ମାର୍କେଟ ନିକଟରେ ଜଣ ବାଇକ ଚାଳକଙ୍କଠାରୁ ୨ଟି ବାଇକରେ ୪ ଜଣ ଲୁଟେରା ୪ ଲକ୍ଷ ୨୦ ହଜାର ଟଙ୍କା ଲୁଟ କରି ନେଇଥିଲେ । ଏନେଇ ବ୍ରହ୍ମବରଦା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ଯାଜପୁର ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇ ଜିଲା ଓ ଜିଲା ବାହାରେ ତଦନ୍ତ ଜାରି ରଖିଥିଲା । ଅନ୍ୟ ପକ୍ଷେ ଥାନାରେ ଅଟକ ଥବବା ୨ ଅଭିଯୁକ୍ତଙ୍କଠାରୁ ସୂଚନା ପାଇ ବିଭିନ୍ନ ସ୍ଥାନରେ ପୁଲିସ ଚଢାଉ କରି ଯାଜପୁର ଜିଲା ବାଲିଚନ୍ଦ୍ରପୁର ଅଂଚଳର ଏକ ଭଡା ଘରୁ ୪ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଥିଲା । ଏନେଇ ଆଜି ଧର୍ମଶାଳା ଥାନା ପରିସରରେ ଯାଜପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନାରାୟଣ ବାରିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଘଟଣାର ତଦନ୍ତ ଚାଲୁ ରହିଛି,ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଧରାଯିବା ସହ ଏହି ଅଭିଯୁକ୍ତମାନେ ଜିଲା ଓ ରାଜ୍ୟରେ ଏମାନଙ୍କ ସମ୍ପୃକ୍ତି ରହିଥିବା ନେଇ ଶ୍ରୀ ବାରିକ ସୂଚନା ଦେଇଥିଲେ । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲା ଆସ୍କା ଥାନା ଅନ୍ତର୍ଗତ ତୁମ୍ବା ଟଙ୍ଗପାଲି ଗ୍ରାମର ଏମ୍ ନାରାୟଣଙ୍କ ପୁଅ ଏମ ଚନ୍ଦୁ ଓରଫ ଅଜୁ(୨୪) ଓ ଆସ୍କା ଥାନା ଅନ୍ତର୍ଗତ ପକଳପାଲି ଗ୍ରାମର ଜେ ରାମଙ୍କ ପୁଅ ଜେ ସିଦ୍ଧାର୍ଥ (୧୮) ବୋଲି ଜଣାପଡିଛି । ଦୁହିଁଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲା କରାଯାଇଛି । ଏହି ଘଟଣାରେ ଗୋଟିଏ ବାଇକ ଓ ୨ଟି ମୋବାଇଲ ଜବତ ହୋଇଥିବା ଜଣାପଡିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ,ଧର୍ମଶାଳା ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଓ ବ୍ରହ୍ମବରଦା ଥାନା ଅଧିକାରୀ ଏସ ଦାଶରଥୀ ପାତ୍ର ଉପସ୍ଥିତ ଥିଲେ । ଅଭିଯୋଗ ମୁତାବକ, ଚଳିତ ମାସ ୧୪ ତାରିଖ ଦିନ ବ୍ରହ୍ମବରଦା ଥାନା ଅନ୍ତର୍ଗତ ସାହାପଡା ଗ୍ରାମର ଇନ୍ଦ୍ରମଣୀ ପରିଡାଙ୍କ ଝିଅ ବିବାହ ଘର ନିମନ୍ତେ ଟଙ୍କା ଉଠାଇବା ପାଇଁ ବ୍ରହ୍ମବରଦା ଭାରତୀୟ ଷ୍ଟ୍ରେଟ୍ ବ୍ୟାଙ୍କକୁ ଯାଇଥିଲେ । ସେଠାରେ ଅପରାହ୍ନ ୨ଟା ସମୟରେ ଇନ୍ଦ୍ରମଣୀ ତାଙ୍କ ସମ୍ପର୍କୀୟ ପୁତୁରାଙ୍କ ସହ ଏକ ବାଇକ ଯୋଗେ ଟଙ୍କା ନେଇ ଘରୁ ଆସୁଥିଲେ । ବ୍ରହ୍ମବରଦା ମାଛ ମାର୍କେଟ ନିକଟରେ ୨ଟି ବାଇକରେ ୪ ଜଣ ଅଭିଯୁକ୍ତ ଏକ କଳା ପଲସର ଓ ଗୋଟିଏ ହିରୋ ଆକିଭର ବାଇକରେ(ଓଡି୩୩ଜେ୦୭୨୨) ସେମାନଙ୍କୁ ଆକ୍ରମଣ କରି ସେମାନଙ୍କ ନିକଟରେ ଏକ ବ୍ୟାଗରେ ଭର୍ତି ଥିବା ୪ଲକ୍ଷ ୨୦ ହଜାର ଟଙ୍କାକୁ ନେଇ ଫେରାର ହୋଇଯାଇଥିଲେ । କଳା ପଲସରରେ ଥିବା ୨ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଟଙ୍କା ନେଇ ବାଲିଚନ୍ଦ୍ରପୁର ଅଂଚଳକୁ ଫେରାର ହୋଇଯାଇଥିଲେ । ଏନ୍ୟ ଏକ ବାଇରେ ଥିବା ୨ଜଣ ଅଭିଯୁକ୍ତ ଯିବା ସମୟରେ ନାଳକୂଳ ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଇନ୍ଦ୍ରମଣୀ ତାଙ୍କ ପୁତୁରାଙ୍କ ସହ ଘଟଣାସ୍ଥଳରେ ପଂହଚିଥିଲେ । ଏହି ଦୁହେଁ ସେମାନଙ୍କୁ ମାଡ ମାରି ଥିବା ଜାଣିବାକୁ ପାଇଥିଲେ । ଏହି ଛକଠାରେ ସ୍ଥାନୀୟ ଲୋକେ ପଂହଚିବା ପରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପଂହଚି ଏହି ୨ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରିବା ପରେ ପୁଲିସ ବାଲିଚନ୍ଦ୍ରପୁର ଅଂଚଳରେ ଅଭିଯୁକ୍ତମାନେ ବ୍ୟବହୃତ କରୁଥିବା ଏକ ଭଡା ଘରେ ଚଢାଉ କରିଥିଲା । ଘର ଭତିରୁ ଏହି ଟଙ୍କା ଜବତ କରିଥିଲେ । ଏବେ ଅନ୍ୟ ୨ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି ।