ବିଜେପିରେ ଜୋର ଧରିଛି ନେତୃତ୍ଵ ପରିବର୍ତ୍ତନ : ବଦଳିବେ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ!
ନୂଆଦିଲ୍ଲୀ : ବିଜେପିରେ ଜୋର ଧରିଛି ନେତୃତ୍ଵ ପରିବର୍ତ୍ତନ। ଆଗାମୀ ବିଧାନସଭା ନିର୍ବାଚନକୁ ନଜରରେ ରଖି ବିଜେପି ଏବେଠୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହି ପରିପ୍ରେକ୍ଷୀରେ ପୁଣି ଆଉ ଏକ ରାଜ୍ୟରେ ବିଜେପି ତା’ର ମୁଖ୍ୟମନ୍ତ୍ରୀ ଚେହରା ବଦଳାଇବ ବୋଲି ଚର୍ଚ୍ଚା ଜୋର ଧରିଛି । ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ଜୟରାମ ଠାକୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି । ଦୁଇଦିନ ପୂର୍ବରୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଦଳର ହାଇକମାଣ୍ଡଙ୍କ ସହ ଭେଟ କରି ଫେରିବା ପରେ ପୁଣିଥରେ ତାଙ୍କୁ ଦଳ ହାଇକମାଣ୍ଡ ଦିଲ୍ଲୀ ଡାକିଛନ୍ତି । ଏହାକୁ ନେଇ ଏବେ ବିଜେପି ଶିବିରରେ ଚର୍ଚ୍ଚା ଜୋର ଧରିଛି । ତାଙ୍କୁ ଦିଲ୍ଲୀ ଡକାଯିବା ଘଟଣାକୁ ଗୁଜୁରାଟ ସହିତ ଯୋଡା ଯାଉଛି । ଗୁଜୁରାଟ ମୁଖ୍ୟମନ୍ତ୍ରୀ ହଠାତ୍ ଇସ୍ତଫା ଦେବା ଓ ନାଟକୀୟ ଢଙ୍ଗରେ ଭୂପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ହେବା ସମସ୍ତଙ୍କୁ ଚକ୍କୀତ କରିଥିଲା। ଜୟରାମ ଠାକୁର ମନ୍ତ୍ରୀ ପଦରୁ ଖୁବଶୀଘ୍ର ଇସ୍ତଫା ଦେବାକୁ ଯାଉଛନ୍ତି ବୋଲି ହିମାଚଳ କଂଗ୍ରେସ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଏଭଳି ଆଲୋଚନାକୁ ବିଜେପି ଖଣ୍ଡନ କରିଛି । ଏନେଇ ବିଜେପି ପକ୍ଷରୁ କୁଆଯାଇଛି ଯେ, ଆଗାମୀ୨୦୨୨ ବିଧାନସଭା ନିର୍ବାଚନ ଜୟରାମ ଠାକୁରଙ୍କ ନେତୃତ୍ୱରେ ଲଢାଯିବ ।
ସୂଚନା ଯେ, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଗତ ସପ୍ତାହ ଅର୍ଥାତ ସେପ୍ଟେମ୍ବର ୮ ତାରିଖରେ ଦିଲ୍ଲୀ ଯାଇଥିଲେ । ବୁଧବାର ଦିନ ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବ୍ୟତୀତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଥିଲେ । ଗୁରୁବାର ଦିନ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ହିମାଚଳ ଆସିବାକୁ ନିମନ୍ତ୍ରଣ କରିଥିଲେ । ଆଜି ସେ ପୁଣି ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ତେବେ ହିମାଚଳର କିଛି ଆସନରେ ହେବାକୁ ଥିବା ଉପନିର୍ବାଚନ ବାବଦରେ ଆଲୋଚନା କରିବାକୁ ଦଳର ହାଇକମାଣ୍ଡ ତାଙ୍କୁ ଦିଲ୍ଲୀ ଡାକିଥିବା କୁହାଯାଉଛି ।