ବିଜେପି ହାତକୁ ଗଲା କେନ୍ଦୁଝରଗଡ ପୌରପାଳିକାର ଅଧ୍ୟକ୍ଷ ପଦବୀ

ଆନନ୍ଦପୁର, ଯୋଡା, ବଡବିଲ ପୌରପାଳିକା ଓ ଚମ୍ପୁଆ ଏନ୍ଏସି ଅଧ୍ୟକ୍ଷ ପଦବୀ ହାତେଇଲା ବିଜେଡି
କେନ୍ଦୁଝର : କେନ୍ଦୁଝର ଜିଲାର କେନ୍ଦୁଝରଗଡ ପୌରପାଳିକା, ଯୋଡା ପୌରପାଳିକା, ବଡବିଲ ପୌରପାଳିକା, ଆନନ୍ଦପୁର ପୌରପାଳିକା ଏବଂ ଚମ୍ପୁଆ ଏନ୍ଏସି ଭୋଟ ଗଣତି ଶନିବାର ଶେଷ ହୋଇଛି । କେନ୍ଦୁଝରଗଡ ପୌରପାଳିକାର ଅଧ୍ୟକ୍ଷ ପଦକୁ ଭାରତୀୟ ଜନତା ପାର୍ଟି ହାତେଇ ଥିବାବେଳେ ଆନନ୍ଦପୁର ପୌରପାଳିକା, ଯୋଡା ପୌରପାଳିକା ଏବଂ ବଡବିଲ ପୌରପାଳିକାର ଅଧ୍ୟକ୍ଷ ପଦବୀ ବିଜେଡି ହାତେଇ ନେଇଛି । ସେହିପରି ଚମ୍ପୁଆ ଏନ୍ଏସି ର ଅଧ୍ୟକ୍ଷ ପଦ ବିଜେଡି ହାତେଇବାରେ ସକ୍ଷମ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝରଗଡ ପୌରପାଳିକାର ଅଧ୍ୟକ୍ଷା ଭାବେ ଭାରତୀୟ ଜନତା ପାର୍ଟିର ନିକୁ ସାହୁ ୧୬୬୩୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ର ଅର୍ଚ୍ଚନା ରାଉତ ୧୨୬୦୯ ଖଣ୍ଡ ଭୋଟ ପାଇ ୪୦୨୧ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି । ସେହିପରି ଆନନ୍ଦପୁର ପୌରପାଳିକାର ଅଧ୍ୟକ୍ଷା ଭାବେ ବିଜୁ ଜନତା ଦଳର ରଜନୀରାଣୀ ଖଟୁଆ ୧୧୫୦୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଜ୍ୟୋର୍ତିମୟୀ ଖଟୁଆ ୯୯୩୫ ଖଣ୍ଡ ଭୋଟ ପାଇ ୧୫୬୯ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ବଡବିଲ ପୌରପାଳିକାର ଅଧ୍ୟକ୍ଷ ଭାବେ ବିଜେଡି ର ଲକ୍ଷ୍ମଣ ମହାନ୍ତ ୧୭୦୦୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ର ଦିଲ୍ଲୀପ ମିଶ୍ର ୮୪୦୨ ଖଣ୍ଡ ଭୋଟ ପାଇ ୮୬୦୫ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି । ଚମ୍ପୁଆ ଏନ୍ଏସି ର ଅଧ୍ୟକ୍ଷ ଭାବେ ବିଜେଡି ର ଗିରିଜା ଶଙ୍କର ସାହୁ ୬୦୩୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସ୍ୱାଧିନ ପ୍ରାର୍ଥୀ ବିଦ୍ୟାଧର ମହାନ୍ତ ୨୬୮୦ ଖଣ୍ଡ ଭୋଟ ପାଇ ୩୩୫୯ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି । ସେହିପରି ଯୋଡା ପୌରପାଳିକାର ଅଧ୍ୟକ୍ଷ ଭାବେ ବିଜେଡି ର ଜଗଦୀଶ ପ୍ରସାଦ ସାହୁ ୮୪୧୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସ୍ୱାଧିନ ପ୍ରାର୍ଥୀ ରବିନ୍ଦ୍ର କୁମାର ଦାସ ୭୯୫୪ ଖଣ୍ଡ ଭୋଟ ପାଇ ୪୬୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି ।