ଭାଜପାର ମିଥ୍ୟା ପ୍ରତିଶ୍ରୁତି; ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ଗଣବିକ୍ଷୋଭ
ନୀଳଗିରି : ନୀଳଗିରି ବିଜେଡି ପକ୍ଷରୁ ମଙ୍ଗଳବାର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭାଜପା ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ହେଉନଥିବାରୁ ବିଜେଡି ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି ।
ନୀଳଗିରି ବିଜେଡି କାର୍ଯାଳୟ ସମ୍ମୁଖରୁ ଏକହଜାରୁ ଉର୍ଦ୍ଧ୍ୱ କର୍ମୀ ଓ ଭତ୍ତା ହିତାଧିକାରୀ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଆୟୋଜିତ ପ୍ରତିବାଦ ସଭାରେ ପୂର୍ବତନ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଅଧ୍ୟକ୍ଷତା କରି ଗତ ନିର୍ବାଚନ ସମୟରେ ରାଜ୍ୟର ସମସ୍ତ ଭତ୍ତା ହିତାଧିକାରୀଙ୍କୁ ମାସିକ ୩ହଜାର ଓ ୩ହଜାର ୫ଶହ ଟଙ୍କାକୁ ବୃଦ୍ଧି କରିବା ପାଇଁ ଭାଜପା ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଉପସ୍ଥାପିତ ବଜେଟ୍ରେ କେବଳ ୮୦ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୮୦%ର ଊର୍ଦ୍ଧ୍ୱ ଦିବ୍ୟାଙ୍ଗଙ୍କ ଭତ୍ତା ୩ହଜାର ୫ଶହକୁ ବୃଦ୍ଧି କରାଯାଇଥିବା ବେଳେ ଅନ୍ୟ ହିତାଧିକାରୀଙ୍କ ମାସିକ ଭତ୍ତା ଅପରିବର୍ତ୍ତିତ ରହିଥିବାରୁ ଭାଜପାର ନିର୍ବାଚନୀ ପ୍ରତିଶ୍ରୁତି ପାଣିର ଗାର ବୋଲି ଉଦ୍ବୋଧନ ଦେଇ କହିଥିଲେ । ଜିଲା ବିଜେଡ଼ି ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରାଜ୍ୟ ବିଜେଡ଼ି ପ୍ରବକ୍ତା ଡ. ଲେଖାଶ୍ରୀ ସାମନ୍ତ ସିଂହାର, ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଏନ୍ଏସି ଅଧ୍ୟକ୍ଷା ଅମ୍ବିକା ଦାସ, ଶୁଭେନ୍ଦୁ ଦାସ ମଙ୍ଗରାଜ, ମଦନ ମୋହନ ମାଝୀ, ଗଙ୍ଗାଧର ମିଶ୍ର, ସୁନିତି ସିଂ, ଉପେନ୍ଦ୍ର ଦାସ, ରଧାଗୋବିନ୍ଦ ଖଟୁଆ, କମଳାମଣି ପରିଡ଼ା, ତାପସ ପରିଡ଼ାଙ୍କ ସମେତ ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ଥିଲେ । ସମସ୍ତ ବର୍ଗର ଭତ୍ତାଧାରୀଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ ଦାବିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳ ଶୁଭଶ୍ରୀ ରଥଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।