ତ୍ରିପୁରା ପୌର ନିର୍ବାଚନରେ ବିଜେପିର କ୍ଲିନ ସୁଇପ, ଖାତା ଖୋଲିପାରିଲେନି ବିରୋଧୀ
ଅଗରତାଲା : ତ୍ରିପୁରା ନିର୍ବାଚନରେ ବିଜେପିର ଦମଦାର ପ୍ରଦର୍ଶନ । ତ୍ରିପୁରା ପୌର ନିର୍ବାଚନରେ ଶାସକ ବିଜେପି ସମସ୍ତ ସିଟ ହାତେଇ ବାଜିମାତ କରିଛି । ମୋଟ ୫୧ ସଦସ୍ୟ ବିଶିଷ୍ଟ ଅଗରତାଲା ମ୍ୟୁନିସିପାଲିଟି କର୍ପୋରେସନ୍ (ଏଏମସି)ରେ କ୍ଲିନ ସୁଇପ କରିଛି ଦଳ । ତ୍ରିପୁରାରେ ଶାସକ ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦୀ କୁହାଯାଉଥିବା ତୃଣମୂଳ କଂଗ୍ରେସ (ଟିଏମସି) ଓ ସିପିଆଇ (ଏମ) ଖାତା ଖୋଲି ପାରିନଥିବା ଦେଖିବାକୁ ମିଳିଛି । ସେହିପରି ଅଗରତାଲା ବ୍ୟତୀତ ରାଜ୍ୟର ଅନ୍ୟ ପୌର ସଂସ୍ଥାରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିଥିବା ସୂଚନା ମିଳିଛି।
ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୧୫ ଆସନ ବିଶିଷ୍ଟ ଖୋଓ୍ବାଇ ପୌର ପରିଷଦ ସମେତ ୧୭ ଆସନ ବିଶିଷ୍ଟ ବେଲୋନିଆ ପୌର ପରିଷଦ, ୧୫ ଆସନ ବିଶିଷ୍ଟ କୁମାରଗାଟ ପୌର ପରିଷଦ ଏବଂ ୯ ସଦସ୍ୟ ବିଶିଷ୍ଟ ସାବୁରୁମ୍ ନଗର ପଞ୍ଚାୟତର ସମସ୍ତ ଓ୍ବାର୍ଡରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି ୨୫ ୱାର୍ଡ ବିଶିଷ୍ଟ ଧର୍ମନଗର ପୌର ପରିଷଦ, ୧୫ ସିଟ୍ ବିଶିଷ୍ଟ ଟେଲିୟାମୁରା ପୌର ପରିଷଦ ଏବଂ ୧୩ ସଦସ୍ୟ ବିଶିଷ୍ଟ ଅମରପୁର ନଗର ପଞ୍ଚାୟତରେ ମଧ୍ୟ ଦଳ କ୍ଲିନସ୍ବିପ କରିବାରେ ସଫଳ ହୋଇଛି ।
ସୋନାମୁରା ନଗର ପଞ୍ଚାୟତ ଏବଂ ମେଲାଗର ନଗର ପଞ୍ଚାୟତରେ ସମସ୍ତ ୧୩ଟି ସିଟରେ ବିଜେପି ଜିତିବା ସହ ବିରୋଧୀ ଏଠାରେ ମଧ୍ୟ ଖାତା ଖୋଲିବାରେ ବିଫଳ ହୋଇଛନ୍ତି । ସେହିପରି ବିଜେପି ଆମ୍ବାସା ପୌର ପରିଷଦରେ ୧୨ଟି ଆସନ ହାତେଇଥିବାବେଳେ ଟିଏମସି ଓ ସିପିଆଇ (ଏମ) ଗୋଟିଏ ଲେଖାଏଁ ଆସନ ଜିତିବାରେ ସଫଳ ହୋଇଛନ୍ତି । ଆଉ ଗୋଟିଏ ଆସନ ସ୍ବାଧୀନ ପ୍ରାର୍ଥୀଙ୍କ ଖାତାକୁ ଯାଇଛି । ରାଜ୍ୟରେ ଅଗରତାଲା ମ୍ୟୁନିସିପାଲିଟି କର୍ପୋରେସନ୍(ଏଏମସି) ସମେତ ୧୩ଟି ପୌର ସଂସ୍ଥା ଏବଂ ୬ଟି ନଗର ପଞ୍ଚାୟତର ମୋଟ ୩୩୪ ଟି ଆସନରେ ନିର୍ବାଚନ ହୋଇଥିଲା । ସମସ୍ତ ଆସନରେ ପ୍ରାର୍ଥୀ ଦେଇଥିବା ବିଜେପି ୧୧୨ ଆସନରେ ଅପ୍ରତିଦ୍ବନ୍ଦୀ ଭାବେ ବିଜୟ ଲାଭ କରିଛି । ନଭେମ୍ବର ୨୫ରେ ୨୨୨ ଟି ଆସନ ପାଇଁ ମତଦାନ ହୋଇଥିବାବେଳେ ଆଜି ଭୋଟ ଗଣତି ସହ ଫଳ ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ମୋଟ ୨୧୭ ଆସନରେ ବିଜୟ ହୋଇଛି ବିଜେପି ।