କଷାଫଳରେ ବିଜେପିର ରଣହୁଙ୍କାର, ବୁଥ୍ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ
ଦଳୀୟ ସଙ୍ଗଠନକୁ ସର୍ବସ୍ପର୍ଶୀ ଓ ସର୍ବବ୍ୟାପୀ କରିବା ଦିଗରେ ନିରନ୍ତର କାର୍ଯ୍ୟ କରିବା : ମାନସ ଦତ୍ତ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ କଷାଫଳ ପଞ୍ଚାୟତରେ ରାଜ୍ୟ ଯୁବମୋର୍ଚ୍ଚା ଉପ-ସଭାପତି ତଥା ଯୁବନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଏକ ବିଶାଳ ବୁଥ୍ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ୫ଶହରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ସାମିଲ୍ ହୋଇଥିଲେ ।
କାର୍ଯ୍ୟକ୍ରମକୁ ପଞ୍ଚାୟତ ସଭାପତି ମୁକୁନ୍ଦ ଆଦିକ ପରିଚାଳନା କରିଥିଲେ । ପ୍ରାରମ୍ଭରେ ସାମୁହିକ ବନ୍ଦେ ମାତରମ ଗାନ କରାଯାଇଥିଲା । ପରେ ମଞ୍ଚାସୀନ ଅତିଥିବୃନ୍ଦ ଆଗାମୀ ୨୦୨୪ ନିର୍ବାଚନ ପାଇଁ ରଣହୁଙ୍କାର ଦେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ରାଜ୍ୟ ସରକାର ବିଭିନ୍ନ ଯୋଜନା ନାମରେ ଲୋକଙ୍କୁ ଭୁଆଁ ବୁଲାଉଥିବା ବେଳେ ପ୍ରକୃତ ହିତାଧିକାରୀ ଏଥିରେ ଉପକୃତ ହୋଇପାରୁନାହାନ୍ତି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଦେଉଥିବା ବେଳେ ଏଠି ରାଜ୍ୟ ସରକାର ସେଥିରେ ନିଜ ନାମର ପୋଷ୍ଟର ମାରି ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି । ଚାଷୀଙ୍କୁ ଉତ୍ପାଦିତ କୃଷି ସାମଗ୍ରୀର ସଠିକ୍ ସମୟରେ ଉଚିତ ମୂଲ୍ୟ ପ୍ରଦାନ କରିବା ସହିତ ତୃଣମୂଳ ସ୍ତରରେ ଧାନ କିଣାକୁ ଭାରତ ସରକାର ପ୍ରୋତ୍ସାହନ ଦେଉଥିବା ବେଳେ ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା କାରଣରୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଏହା ସହିତ ସଦର ବ୍ଲକରେ ଶୀତଳଭଣ୍ଡାର ନଥିବା ଯୋଗୁଁ ପରିବା ଚାଷୀ ପୋକମାଛି ଦରରେ ପରିବା ବିକୁଛନ୍ତି ଯାହାଫଳରେ ଚାଷୀଟିଏ ତାର ଉଚିତ ମୂଲ୍ୟ ପାଇ ପାରୁନାହିଁ । ଆଳୁମେଦା ଏବଂ କଷାଫଳକୁ ସଂଯୋଗ କରୁଥିବା ଡୁବୁଡୁବି ଘାଟ ଉପରେ ପୋଲ ନିର୍ମାଣ ଆଜି ମଧ୍ୟ ସ୍ୱପ୍ନ ହୋଇରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟକୁ ପାଥେୟ କରି ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବେ । ଦିବଂଗତ ବିଧାୟକ ମଙ୍ଗୁଭାଇଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ସାଧାରଣ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ, ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ପାଇଁ ଓ ପାର୍ଟିର ସଂଗଠନକୁ ସର୍ବସ୍ପର୍ଶୀ ଏବଂ ସର୍ବବ୍ୟାପୀ କରିବା ଦିଗରେ ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ନିରନ୍ତର କାର୍ଯ୍ୟ କରିବା ସହ ଆଗାମୀ ନିର୍ବାଚନରେ ଯଶସ୍ୱୀ ହେବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଯୁବନେତା ଶ୍ରୀ ଦତ୍ତ ଆହ୍ୱାନ ଦେଇଛନ୍ତି ।
ସମ୍ମିଳନୀରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର ଓ ଗୌରାଙ୍ଗ ଦାସ, ସରପଞ୍ଚ ଜୟନ୍ତୀ ଆଦିକ, ସମିତିସଭ୍ୟା ପ୍ରିୟଙ୍କା ଜେନା, ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ନାଏବ ସରପଞ୍ଚ ପ୍ରିୟରନ ପୃଷ୍ଟି, ପଞ୍ଚାୟତ ଉପ-ସଭାପତି ମନ୍ମଥ ବେହେରା, ମାୟାଧର ପ୍ରଧାନ, ସତ୍ୟଜିତ ଜେନା, ଅମଲ ମଣ୍ଡଳ, ହରେକୃଷ୍ଣ ଖଣ୍ଡା, ପୂର୍ଣ୍ଣଚନ୍ଦ୍ର ପାତ୍ର, ଶମ୍ଭୁନାଥ ଶାବଳ, ଅଶୋକ ରଣା, ସୁଶାନ୍ତ ପରିଡା, ଆଶିଷ ରାୟ, ପ୍ରଭାତ ବେହେରା, ଆନନ୍ଦ ପରଡା, ବେଣୁଧର ମଲ୍ଲିକ, ସମସ୍ତ ୱାର୍ଡ଼ ସଭ୍ୟ/ସଭ୍ୟା, ବୁଥ ପଦାଧିକାରୀ ଓ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।